ରିପୋର୍ଟ କାର୍ଡ / ଭୁବନେଶ୍ୱର
ମାର୍ଚ୍ଚ ୨୫ରୁ ୩୧ ଯାଏଁ ଚାଲିବ ବିଧାନସଭା ବଜେଟ ଅଧିବେଶନ। ତେଣୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ | କିଭଳି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରାହେବ ସେନେଇ ଆଲୋଚନା ହୋଇଛି | କରୋନା କୋପ କମିଥିଲେ ମଧ୍ୟ ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ କଟକଣାରେ ଚାଲିବ। ପୂର୍ବରୁ ଯେଉଁ ବ୍ୟବସ୍ଥା ରହିଥିଲା, ଯେଉଁ ନିୟମ ଲାଗୁ ହେଉଥିଲା, ଏବେ ବି ସେହି ବ୍ୟବସ୍ଥା ରହିବ। ଅଧିବେଶନ ପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହେବ। ସର୍ବଦଳୀୟ ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ହୋଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ। ସୁରୁଖୁରୁରେ ବିଧାନସଭା ଅଧିବେଶନ ଚଳାଇବାକୁ ବୈଠକରେ ଆଲୋଚନା ହୋଇଛି। ବିଧାନସଭା ବଜେଟ ଅଧିବେଶନ ୬ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ପରେ ମୁଲତବୀ ନୋଟିସରେ କ’ଣ ଆଲୋଚନା ହେବ ତାହା ଉପରେ ମଧ୍ୟ ବିସ୍ତୃତ ଭାବେ ଚର୍ଚ୍ଚା ହୋଇଥିଲା। ଆଗକୁ ପୌର ନିର୍ବାଚନ ଥିବାରୁ ଏଥର ୪ ମାସିଆ ବଜେଟ ଆସିବ। ଏହାପରେ ଜୁନ, ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ। ଏବେ ବଜେଟରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ। ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅଛି। ତେଣୁ ଚଳିତ ଥର ବଜେଟ ଅଧିବେଶନର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି।






More Stories
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ଯୁବ କଂଗ୍ରେସ…..
ଯାତ୍ରୀଙ୍କୁ ପିଟିଲେ ପାଇଲଟ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..