ରିପୋର୍ଟ କାର୍ଡ / ଭୁବନେଶ୍ୱର /ଗୋପାଳପୁର
ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଛି। ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ମହାନିର୍ଦ୍ଦେଶ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆଙ୍କୁ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାମଲାର ଗମ୍ଭୀରତା ଓ ସ୍ପର୍ଶକାତରତାକୁ ଦୃଷ୍ଟିରେ ରଖି ଏହାକୁ ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଛି। କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ମାମଲାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୋଲିସ ୧୦ ଅଭିଯୁକ୍ତଙ୍କୁ ଧରିଛି। ଅଭିଯୁକ୍ତଙ୍କ ମଧ୍ୟରେ ୪ଜଣ ନାବାଳକ ରହିଥିବାରୁ ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ୩ଟି ଦଳ ଗଠନ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବାର ସକ୍ଷମ ହୋଇଛି।ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଘଟଣାର ଦୃଢ଼ ନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୋଧରେ ଏକ ଅପରାଧ। ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ା ଯିବନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଅପରପକ୍ଷରେ ନିଜ ଆଡୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମହିଳା କମିସନ ନିର୍ଦେଶ ଦେଇଛନ୍ତି। କମିସନ ଅଧ୍ୟକ୍ଷା ବିଜୟା ରାହତକର ଓଡ଼ିଶା ପୋଲିସ ମହାନିର୍ଦେଶକଙ୍କୁ ପତ୍ର ଲେଖି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ତିନି ଦିନ ଭିତରେ ପୂରା ଘଟଣାର ରିପୋର୍ଟ ଦେବା ପାଇଁ ଏଥିରେ ସେ ଉଲ୍ଲେଖ କରିଛନ୍ତି। ଏହାସହ ପୀଡ଼ିତା ଯୁବତୀଙ୍କୁ କ୍ଷତିପୂରଣ ପ୍ରଦାନ ସହ ନିଃଶୁଳ୍କ ଚିକିତ୍ସା ସୁନିଶ୍ଚିତ କରିବା ଲାଗି ସେ କହିଛନ୍ତି।
More Stories
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ,କଲେ ଆଶୀର୍ବାଦ କାମନା .…
ଗଡକରୀଙ୍କ ଐତିହାସିକ ଘୋଷଣା….
କଟକରେ ଯୁବକଙ୍କ ଗଳା କାଟି ହତ୍ୟା….