Report Card Odisha

| Daily Odia News

ବାଲେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି…..

ରିପୋର୍ଟ କାର୍ଡ / ବାଲେଶ୍ଵର

ଗତକାଲିଠୁ ବାଲେଶ୍ୱର ସହରରେ ଲାଗୁ ହୋଇଛି କର୍ଫ୍ୟୁ । ବିଳମ୍ବିତ ରାତିରେ ଏହି କଟକଣା ଲାଗୁ ହୋଇଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ। ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଗତକାଲି ରାତି ପ୍ରାୟ ୨ଟା ବେଳେ ବାଲେଶ୍ୱର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଗତ ରାତିଠୁ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ କଟକଣା ସମୟରେ ଦୋକାନ ବଜାର ଓ ସ୍କୁଲ କଲେଜ ସମେତ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ। ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବି ବନ୍ଦ ରହିବ। ଏଥିସହ ଲୋକଙ୍କୁ ଘରୁ ନ ବାହାରିବାକୁ ଅପିଲ୍ କରିଛି ପୋଲିସ ପ୍ରଶାସନ। ଗତକାଲି ବାଲେଶ୍ୱର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ପରଠୁ ଅଶାନ୍ତ ହୋଇ ପଡ଼ିଥିଲା ସହର। ଏହାପରେ ସମଗ୍ର ସହର ପୋଲିସ ଛାଉଣି କରାଯାଇଛି। ଡାକବାଜି ଯନ୍ତ୍ରରେ କର୍ଫ୍ୟୁ କଟକଣା ଅନୁପାଳନ କରିବାକୁ ଏବଂ ଶାନ୍ତିରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅପିଲ କରାଯାଉଛି । ଉଲ୍ଲେଖ ଯୋଗ୍ୟ- ଗତକାଲି ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୋଲିସ । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଛି। ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୋଲିସ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି।

Breaking News