ରିପୋର୍ଟ କାର୍ଡ / କଟକ
କଟକ ଚାଉଳିଆଗଞ୍ଜର ଏକ ଭଡା ଘରୁ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ସାଲେପୁର ଅନ୍ତର୍ଗତ ମାଳଶାସନ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡଃ ମଲାଡ଼ି ଭେଙ୍କଟ ଚନ୍ଦ୍ରଶେଖର। ସେ ରହୁଥିବା ଘରୁ ଆଜି ଦୁର୍ଗନ୍ଧ ହେବା ପରେ ଘର ମାଲିକ ଓ ସ୍ଥାନୀୟ ଅଂଚଳର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ଘରର କବାଟ ଭାଙ୍ଗି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିପାର୍ଶ୍ଵିକ ଅବସ୍ଥାରୁ ଡାକ୍ତରଙ୍କ ମୃତ୍ୟୁ ୪ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ସେ ଚାଉଳିଆଗଞ୍ଜରେ ଡାକ୍ତର ହରିପ୍ରସାଦ ମହାନ୍ତିଙ୍କ ଘରେ ଭଡାରେ ରହୁଥିଲେ। ଗତ ୪ ଦିନ ହେବ ସେ ରହୁଥିବା ଘର ବନ୍ଦ ରହିଥିଲା। ଡାକ୍ତର ଚନ୍ଦ୍ରଶେଖର ଜଣେ ଭଲ ମଣିଷ ଥିଲେ ଓ ସମସ୍ତଙ୍କ ସହ ତାଙ୍କର ଭଲ ବ୍ୟବହାର ଥିଲା ବୋଲି ଘର ମାଲିକ ଓ ସ୍ଥାନୀୟ ଅଂଚଳର ଲୋକେ କହିଛନ୍ତି। ସେ ସେଠାରେ ଏକାକୀ ରହୁଥିଲେ ଓ କିଛିଦିନ ପୂର୍ବରୁ ଗାଡ଼ିରୁ ପଡିଯାଇ ତାଙ୍କ ହାତ ଭାଙ୍ଗି ଯାଇଥିବାରୁ ସେ ୧୫ ଦିନ ଛୁଟିରେ ଥିଲେ। ସୂଚନା ଅନୁଯାୟୀ ଡାକ୍ତର ଚନ୍ଦ୍ରଶେଖର ହୃଦରୋଗ ଜନିତ ସମସ୍ୟା ସହ ଶ୍ୱାସ ରୋଗରେ ପୀଡିତ ଥିଲେ। ସେ ରହୁଥିବା ଘରକୁ ଅନ୍ୟ କାହାର ଚଳପ୍ରଚଳ ନ ଥିବା ଜଣାପଡିଛି। ମୃତ ଡାକ୍ତରଙ୍କ କେହି ପରିଚିତ ଏ ପର୍ଯ୍ୟନ୍ତ ଠାବ ହୋଇନଥିବା ପୋଲିସ କହିଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….