ରିପୋର୍ଟ କାର୍ଡ / ଭୁବନେଶ୍ୱର
ଘୂର୍ଣ୍ଣିଝଡ଼ ‘ଡିଟ୍ଓ୍ବା’ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ଶୀତ ପ୍ରକୋପ ସାମାନ୍ୟ କମିଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ଡିଗ୍ରୀ ହ୍ରାସ ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରାୟ ୨ରୁ ୪ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି। ଅପରପକ୍ଷେ ଗତ ୨୪ଘଣ୍ଟାରେ ଗଜପତି, ରାୟଗଡ଼ା, କୋରାପୁଟ, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡା ଜିଲାଗୁଡିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ହାଲୁକାରୁ ହାଲୁକା ଧରଣର ବର୍ଷା ହୋଇଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ କୁହୁଡି ପଡିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମଙ୍ଗଳବାର ଏବଂ ବୁଧବାର ସୁନ୍ଦରଗଡ଼, ଝାରସୁଗୁଡା, କୋରାପୁଟ ଏବଂ ଅନୁଗୁଳ ଜିଲାଗୁଡିକର ଘନ କୁହୁଡି ପଡିବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିଥିବାବେଳେ ଡିସେମ୍ବର ୬ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ କୌଣସି ସୂଚନା ଦିଆଯାଇ ନାହିଁ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗିବାଡିଠାରେ ୧୧.୫ ଡିଗ୍ରୀ ହୋଇଥିବାବେଳେ, ସର୍ବାଧିକ ୨୯.୨ ଡିଗ୍ରୀ ପୁରୀଠାରେ ରେକର୍ଡ ହୋଇଥିଲା। ସେହିପରି ଝାରସୁଗୁଡାରେ ୧୩.୭ ଡିଗ୍ରୀ, ବୌଦ୍ଧ ୧୩.୮ ଡିଗ୍ରୀ, ଫୁଲବାଣୀ, କେନ୍ଦୁଝରଗଡ ଏବଂ ବୌଦ୍ଧରେ ୧୪ଡିଗ୍ରୀ, କୋରାପୁଟରେ ୧୪.୨ ଡିଗ୍ରୀ, ରାଉରକେଲାରେ ୧୪.୫ ଡିଗ୍ରୀ, ଅନୁଗୁଳ ଓ ଢେଙ୍କାନାଳରେ ୧୪.୬ ଡିଗ୍ରୀ, କଟକରେ ୧୫.୬ ଡିଗ୍ରୀ, ଭୁବନେଶ୍ୱରରେ ୧୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ-ପୁଡୁଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ (ଘୂର୍ଣ୍ଣିଝର ଡିଟ୍ଓ୍ବାର ଅବଶିଷ୍ଟାଂଶ) ସୋମବାର ସକାଳ ୮.୩୦ରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ତାମିଲନାଡି-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଉପରେ କେନ୍ଦ୍ରୀତ ହୋଇଥିଲା। ଏହା ଉତ୍ତର ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ସହିତ ସମାନ୍ତରାଳ ଭାବେ ଧୀରେ ଧୀରେ ଉତ୍ତର ଆଡକୁ ଗତି କରି ଆସନ୍ତା ୧୨ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ପ୍ରଣାଳୀ ସୋମବାର ମଧ୍ୟାହ୍ନ ସୁଦ୍ଧା ଚେନ୍ନାଇ ଉପକୂଳରୁ ଅତି କମ୍ରେ ୩୦ କି.ମି. ଦୂରତା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି






More Stories
କୋଣାର୍କ ଉତ୍ସବ ଆରମ୍ଭ…..
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା:କିଟ୍ ପକ୍ଷଭୁକ୍ତ…..
ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟାନ୍…..