Report Card Odisha

| Daily Odia News

ବାତ୍ୟା ଜୋୱାଦ୍‌ ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଙ୍ଗୋପସାଗରରୁ ଆସୁଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ଜୋୱାଦ୍‌’ ପରିସ୍ଥିତି ବିଷୟରେ ଆଲୋଚନା କରିବା ଲାଗି ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ‌ ଡକାଇଥିଲେ। ସୂଚନାଯୋଗ୍ୟ, ବଙ୍ଗୋପସାଗର ଉପରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ତୀବ୍ରତର ହୋଇ ଡିସେମ୍ବର ୩ ତାରିଖରେ ସାମୁଦ୍ରିକ ବାତ୍ୟା ‘ଜୋୱାଦ୍‌’ ପାଲଟିବାର ଆଶଙ୍କା ରହିଛି। ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ‘ଜୋୱାଦ୍‌’ ଘଣ୍ଟା ପ୍ରତି ୨୦ ରୁ ୧୦୦ କି. ମି. ବେଗରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ବାତ୍ୟା ପ୍ରବାହ ସହ ସମ୍ପୃକ୍ତ ରାଜ୍ୟଗୁଡ଼ିକର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବୃଷ୍ଟିପାତ ଏବଂ ଜୁଆରିଆ ଢେଉ ମାଡ଼ି ଆସିବାର ସମ୍ଭାବନା ରହିଛି। ଏହି ବାତ୍ୟା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌, ବିଶାଖାପଟନମ୍‌ ଏବଂ ବିଜୟନଗରମ୍‌ ଜିଲ୍ଲା ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରିବ। ଏଥିଯୋଗୁଁ ପଶ୍ଚମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଗାଙ୍ଗେୟ ସମତଳ ଅଞ୍ଚଳରେ ମଧ୍ୟ ଭୀଷଣରୁ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ବାତ୍ୟା ସ୍ଥଳଭାଗ ପ୍ରବେଶ କରିବା ପୂର୍ବରୁ ବୁଧବାର ଦିନ‘ ଜାତୀୟ ସଙ୍କଟ ପରିଚାଳନା କମିଟି’ର କ୍ୟାବିନେଟ୍‌ ସଚିବ ରାଜୀବ ଗୌବା ମଧ୍ୟ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ଏଜେନ୍ସିମାନଙ୍କର ପ୍ରସ୍ତୁତି ସମୀକ୍ଷା ପାଇଁ ବୈଠକ ଡାକିଥିଲେ। ବାତ୍ୟା ପ୍ରକୋପରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତ୍‌ସିଂହପୁର ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ରେଡ୍‌ ଆଲର୍ଟ ଜାରି କରିଛି। କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ୪ ତାରିଖ ଦିନ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ୍‌ ଆଲର୍ଟ ଜାରି କରାଯାଇଛି। ସେଦିନ ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି, ‘ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ’ (ଏନ୍‌ଡିଆର୍‌ଏଫ୍‌) ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ୩୨ଟି ଟିମ୍‌ ମୁତୟନ କରିବା ସହ ଅତିରିକ୍ତ ଟିମ୍‌ ପ୍ରସ୍ତୁତ କରି ରଖିଛି। ଜାହାଜ ଏବଂ ବିମାନ ସହ ସେନା ଓ ନୌସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି।

 

Breaking News