ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ମନ୍ଥା’ରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଗତ ୬ଘଣ୍ଟା ଧରି ସମୁଦ୍ରରେ ଏହା ଘଣ୍ଟା ପ୍ରତି ୧୭କି.ମି. ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି। ମଙ୍ଗଳବାର ସକାଳ ସୁଦ୍ଧା ‘ମନ୍ଥା’ ସମୁଦ୍ରରୁ ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟାରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୨୮ତାରିଖ ସନ୍ଧ୍ୟା କିମ୍ବା ରାତି(ପ୍ରାୟତଃ ଅପରାହ୍ଣ ସାଢ଼େ ୪ଟାରୁ ରାତି ୧୧ଟା) ମଧ୍ୟରେ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନାଡ଼ା ନିକଟବର୍ତ୍ତୀ କୌଣସି ଜାଗାରେ ‘ମନ୍ଥା’ ଉପକୂଳ ଅତିକ୍ରମ କରିବ। ‘ମନ୍ଥା’ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଓଡ଼ିଶା ଆଡ଼କୁ ମୁହଁାଇବ। ମାଲକାନଗିରି, କୋରାପୁଟ, ଗଜପତି ଏବଂ ରାୟଗଡ଼ା ଜିଲା ଦେଇ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ। ଓଡ଼ିଶାରେ ବାତ୍ୟାର ସର୍ବାଧିକ ପ୍ରଭାବ ପ୍ରାୟ ୮ଟି ଜିଲାରେ ପଡ଼ିବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି।‘ମନ୍ଥା’ ସମୁଦ୍ର ଭିତରେ ଥିଲେ ବି ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ପ୍ରଭାବ ପକାଇଲାଣି। ଭୁବନେଶ୍ବର, କଟକ, ପାରାଦ୍ବୀପ, ଗୋପାଳପୁର, କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା ଆଦି ଜିଲା ଗୁଡ଼ିକରେ ତୁହାକୁ ତୁହା ପବନ ସାଙ୍ଗକୁ ବର୍ଷାର ପ୍ରକୋପ କିଛିମାତ୍ରାରେ ଆରମ୍ଭ ହୋଇଛି। ବାତ୍ୟା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ ସମୁଦ୍ର ଅଶାନ୍ତ ହେବା ସହ କେତେକ ସ୍ଥାନରେ ଉଚ୍ଚ ଜୁଆର ଉଠିଲାଣି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୁଲେଟିନ୍ ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା କେନ୍ଦ୍ରୀଭୂତ ହୋଇଥିଲା। ପୂର୍ବ-ଦକ୍ଷିଣ-ପୂର୍ବରେ ଚେନ୍ନଇ(ତାମିଲନାଡୁ)ରୁ ପ୍ରାୟ ୪୪୦କି.ମି. ଦୂରରେ ଥିବାବେଳେ ଦକ୍ଷିଣ-ଦକ୍ଷିଣ-ପୂର୍ବରେ କାକିନାଡ଼ା(ଆନ୍ଧ୍ରପ୍ରଦେଶ)ରୁ ୪୯୦ କି.ମି., ଦକ୍ଷିଣ-ଦକ୍ଷିଣ-ପୂର୍ବରେ ବିଶାଖାପାଟଣା(ଆନ୍ଧ୍ରପ୍ରଦେଶ)ରୁ ୫୩୦କି.ମି., ଦକ୍ଷିଣରେ ଗୋପାଳପୁର(ଓଡ଼ିଶା)ରୁ ୭୧୦କି.ମି. ଦୂରରେ କେନ୍ଦ୍ରୀଭୂତ ହେଉଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ସ୍ଥଳଭାଗ ଛୁଇଁବା ବେଳେ ଆନ୍ଧ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୧୧୦କି.ମି. ଛୁଇଁପାରେ। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବ।ବାତ୍ୟାକୁ ନେଇ ଆଇଏମ୍ଡି ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁଲା ବେଳକୁ ଭୀଷଣ ରୂପରେ ଥିବା ମନ୍ଥା ଦକ୍ଷିଣ ଓଡ଼ିଶାରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଥିବ। ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକ ଦେଇ ବାତ୍ୟା ଦକ୍ଷିଣ ଛତିଶଗଡ଼ ମୁହାଁଇବ। ବିଶେଷକରି ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସର୍ବାଧିକ ପ୍ରଭାବ ପଡ଼ିବ। ଦକ୍ଷିଣ ଓଡ଼ିଶାରେ ବାତ୍ୟା ଦୁର୍ବଳ ହୋଇଯିବା ଦ୍ବାରା ଘଣ୍ଟା ପ୍ରତି ୬୦ରୁ ୭୦କି.ମି. ଏବଂ ଝଟକା ପବନ ୮୦କି.ମି. ବେଗରେ ବହିବ। ୨୮ତାରିଖ ରାତିରୁ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ମନ୍ଥାର ବେଶୀ ପ୍ରଭାବ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।ବାତ୍ୟା ପ୍ରଭାବରେ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲାରେ ଅତି ପ୍ରବଳ ବର୍ଷା ହେବ। ୨୦ ସେଣ୍ଟିମିଟରରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ପୁଣି ୨୮ ସନ୍ଧ୍ୟାରୁ ୨୯ତାରିଖ ସକାଳ ପର୍ଯ୍ୟନ୍ତ ଉକ୍ତ ୫ଜିଲା ସହ ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲାରେ ଘଣ୍ଟା ପ୍ରତି ୬୦ରୁ ୭୦କି.ମି. ବେଗରେ ପବନ ଓ ସ୍ଥଳବିଶେଷରେ ଝଟକା ପବନର ବେଗ ୮୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଖୋର୍ଦ୍ଧା, ପୁରୀ ଏବଂ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଉକ୍ତ ଜିଲାଗୁଡ଼ିକରେ ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତା’ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ଭୟ ରହିଛି। ଘଣ୍ଟା ପ୍ରତି ୫୦ରୁ ୬୦କି.ମି. ଏବଂ ଝଟକା ପବନର ବେଗ ୭୦ କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ।ସେହିପରି ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲାକୁ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସମ୍ପୃକ୍ତ ଜିଲା ଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ଏବଂ ଝଟକା ପବନର ବେଗ ଘଣ୍ଟା ପ୍ରତି ୬୦କି.ମି. ପର୍ଯ୍ୟନ୍ତ ପହଞ୍ଚିପାରେ। ୨୯ତାରିଖ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ଆଖପାଖରେ ଘଣ୍ଟା ପ୍ରତି ୪୫ରୁ ୫୫କି.ମି. ଏବଂ ଝଟକା ପବନର ବେଗ ୬୫କି.ମି. ପର୍ଯ୍ୟନ୍ତ ବହିପାରେ। ସମୁଦ୍ର ଅଶାନ୍ତ ରହିବା କାରଣରୁ ୩୦ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ସମୁଦ୍ର ନଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ସମସ୍ତ ବନ୍ଦରଗୁଡ଼ିକରେ ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି। ବାତ୍ୟା ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ପକାଇବା କାରଣରୁ ସ୍ଥାନୀୟ ଅଞ୍ଚଳରେ ଭୂସ୍ଖଳନ, ମାଟି ଅତଡା ଓ ଭୂମି ଦବିବା ଭୟ ରହିଛି। କାରଣ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଜିଲାରେ ଅଧିକ ପାହାଡ଼ ଥିବାରୁ ଭୂସ୍ଖଳନର ଆଶଙ୍କା ରହିଛି। ରାଜଧାନୀରେ ମନ୍ଥାର ପ୍ରଭାବ ଆଜି ଅପରାହ୍ଣ ୩ଟା ବେଳକୁ ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୩୩ କି.ମି. ରେକର୍ଡ ହୋଇଥିବା ବେଳେ ଝଟକା ଘଣ୍ଟା ପ୍ରତି ୫୫କି.ମି. ଯାଏଁ ରେକର୍ଡ ହୋଇଛି।






More Stories
ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖ……
ରାଫେଲରେ ଉଡିଲେ ରାଷ୍ଟ୍ରପତି……
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ……