ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱା’ ଶୁକ୍ରବାର ଶ୍ରୀଲଙ୍କାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବାତ୍ୟାର ପ୍ରଭାବରେ ୫୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ଜଣ ନିଖୋଜ ହୋଇଯାଇଛନ୍ତି। ବାତ୍ୟା ଜନିତ ବର୍ଷା ଯୋଗୁଁ ବନ୍ୟା ଦେଖାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୪ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ ଶିବିରରେ ରଖାଯାଇଛି। ଜିଲା ପରିଚାଳନା କେନ୍ଦ୍ର (ଡିଏମସି)ର କହିବା ଅନୁଯାୟୀ ଗୁରୁବାର ରାତିରେ ୩୦୦ ମିମି ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବାରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଛି। ବାତ୍ୟା ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଲାଗି ଶ୍ରୀଲଙ୍କା ସରକାର ସେନାକୁ ନିୟୋଜିତ କରିଛନ୍ତି। ଶ୍ରୀଲଙ୍କାରେ ବାତ୍ୟା ‘ଡିଟୱା’ ଜନିତ ହୋଇଥିବା ମୃତ୍ୟୁ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଭାରତ ସରକାରଙ୍କ ପକ୍ଷରୁ ଶ୍ରୀଲଙ୍କାକୁ ରିଲିଫ୍ ପଠାଯାଇଛି। ଅପରେସନ ‘ସାଗର ବନ୍ଧୁ’ ନାମରେ ଆଇଏନଏସ୍ ବିକ୍ରାନ୍ତ ଓ ଆଇଏନଏସ୍ ଉଦୟଗିରି ମାଧ୍ୟମରେ ଭାରତ ରିଲିଫ୍ ପଠାଇଛି। ଆବଶ୍ୟକ ସ୍ଥଳେ ଅଧିକ ରିଲିଫ୍ ପଠାଯିବ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ବାତ୍ୟା ‘ଡିଟୱା’ ଶ୍ରୀଲଙ୍କାରେ ତାଣ୍ଡବ ରଚିବା ପରେ ଏହା ଏବେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଅଗ୍ରସର ହୋଇଛି। ରବିବାର ଏହା ତାମିଲନାଡୁ ଉପକୂଳ ଛୁଇଁବ। ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତାମିଲନାଡୁର ବିଭିନ୍ନ ଜିଲାକୁ ରେଡ୍ ଓ ୟେଲୋ ଆଲର୍ଟ ଜାରି କରିଛି। ରାଜ୍ୟର ୧୬ଟି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଶନିବାର ସକାଳୁ ତାମିଲନାଡୁରେ ବାତ୍ୟାର ପ୍ରକୋପ ଅନୁଭୂତ ହେବ। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହିତ ବର୍ଷା ହେବ। ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫ୍ ଦଳକୁ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହା ସହିତ ଡିଏମ୍କେ କ୍ୟାଡରମାନଙ୍କୁ ସହାୟତା ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି। ବାତ୍ୟା ଯୋଗୁଁ ଶ୍ରୀଲଙ୍କା ଓ ତାମିଲନାଡୁ ମଧ୍ୟରେ ବିମାନ ଚଳାଚଳକୁ ବାତିଲ କରାଯାଇଛି। ଏହା ସହିତ ଅନ୍ୟ କେତେକ ସ୍ଥାନରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବତ୍ୟା ପାଇଁ ଉଭୟ ତାମିଲନାଡୁ ଓ ପୁଡୁଚେରୀରେ ସମସ୍ତ ସ୍କୁଲ ଓ କଲେଜକୁ ଶନିବାର ପାଇଁ ଛୁଟି ଘୋଷଣା କରାଯାଇଛି।






More Stories
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..
ରୁଷ୍ ଦେବ ଶକ୍ତିଶାଳୀ ଅସ୍ତ୍ର ଏସ୍-୪୦୦…..
ଏସ୍ଆଇଆର ଉପରେ ଆଲୋଚନାକୁ ସମ୍ମତି…..