Report Card Odisha

| Daily Odia News

ଦିଲ୍ଲୀରେ ଡି.ଏ.ଭି ଜାତୀୟ କ୍ରୀଡ଼ା-୨୦୨୪ ଉଦ୍‌ଯାପିତ,ଓଡ଼ିଶାର ସର୍ବକାଳୀନ ରେକର୍ଡ଼….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶ ମଧ୍ୟରେ ଅବସ୍ଥାପିତ ଡି.ଏ.ଭି ବିଦ୍ୟାଳୟ ସମୂହର ବାର୍ଷିକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା – ୨୦୨୪ ଇତି ମଧ୍ୟରେ ଦିଲ୍ଲୀ ଏନ୍‌.ସି.ଆର୍ ଠାରେ ଉଦ୍‌ଯାପିତ ହୋଇଯାଇଛି । ୧୪,୧୭ ଏବଂ ୧୯ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ବିଭାଗରେ ସମୁଦାୟ ୩୦ଟି ବିଭାଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଡି.ଏ.ଭି ବିଦ୍ୟାଳୟରୁ ୨୭୦ ଜଣ ପ୍ରତିଯୋଗୀ ଐକିକ ତଥା ଦଳଗତ ବିଭାଗରେ ଭାଗନେଇ ଏକକ ବିଭାଗରେ ୨୫ ସ୍ୱର୍ଣ୍ଣ, ୨୨ ରୌପ୍ୟ ଓ ୩୦ କାଂସ୍ୟ ତଥା ଦଳଗତ ବିଭାଗରେ ୪ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୫ କାଂସ୍ୟ ପଦକ ସହ ସମୁଦାୟ ୯୧ଟି ପଦକ ହାସଲ କରି ଏକ ସର୍ବକାଳୀନ ରେକର୍ଡ ସୃଷ୍ଟିକରିବା ସହ ଶ୍ରେଷ୍ଠ ସଫଳତା ହାସଲ କରିଛନ୍ତି ।

ପ୍ରମୁଖ ପଦକ ହାସଲକାରୀଙ୍କ ମଧ୍ୟରେ ଏକକ ବିଭାଗ ଜିମ୍‌ନାଷ୍ଟିକ୍‌ରେ ଡି.ଏ.ଭି କଳିଙ୍ଗ ନଗରର ପ୍ରୀତି ଝଙ୍କାର ୪ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ସିଦିକ୍ଷା ସାହୁ ୨ କାଂସ୍ୟ, ଡି.ଏ.ଭି ପୁରୀର ସେଲିନା ଶ୍ରେଷ୍ଠା ୧ ସ୍ୱର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ, ସନ୍ତରଣ ପ୍ରତିଯୋଗିତାରେ ଡି.ଏ.ଭି ସି.ଡି.ଏ କଟକର ମନୋଜିତ୍ ରାୟ ୨ ସ୍ୱର୍ଣ୍ଣ, ୧ ରୌପ୍ୟ, ଡି.ଏ.ଭି ପୁରୀର କୀର୍ତ୍ତୀକିରଣମୟୀ ସାହୁ ୨ ରୌପ୍ୟ, ଡି.ଏ.ଭି ୟୁନିଟ୍ – ୮ର ଦେବେଶ୍ ଖରବ ୧ ରୌପ୍ୟ ଓ ୧ କାଂସ୍ୟ, ରୋଲର ସ୍କେଟିଙ୍ଗ୍ ବିଭାଗରେ ଡି.ଏ.ଭି ପୋଖରିପୁଟର ଅନସୁଲ କେଶରୀ ପ୍ରହରାଜ ୧ ସ୍ୱର୍ଣ୍ଣ, ୧ କାଂସ୍ୟ, ଡି.ଏ.ଭି ଚନ୍ଦ୍ରଶେଖରପୁରର ସାଇ ରେୟାନ୍‌ସ ପରିଡ଼ା ୨ ସ୍ୱର୍ଣ୍ଣ ଓ ସୋମନିଲ ଆଦିଶକ୍ତି ବାଗ୍ ୨ ସ୍ୱର୍ଣ୍ଣ, ସାନ୍‌ଭି ତିୱାରୀ ୧ ସ୍ୱର୍ଣ୍ଣ, ୧ ରୌପ୍ୟ, ତୀରନ୍‌ଦାଜ୍ ବିଭାଗରେ ଡି.ଏ.ଭି ଲାଞ୍ଜିଗଡ଼ର କ୍ଷୀରୋଦ କୁମାର ୧ ସ୍ୱର୍ଣ୍ଣ, ୨ ରୌପ୍ୟ ପଦକ ସହ ଅନ୍ୟାନ୍ୟ ବିଭାଗ ଯଥା ବନ୍ଧୁକ ଚାଳନା, ଦୌଡ଼କୁଦ, କରାଟେ, ଟାଇକୋଣ୍ଡ, ଏରୋବିକ୍ସ, ଉସୁ, ଦୌଡ଼ିଡିଆଁରେ ପଦକ ହାସଲ କରି ରାଜ୍ୟପାଇଁ ଗୌରବ ଆଣିଛନ୍ତି ।

ସେହିପରି ଦଳଗତ ବିଭାଗରେ ୧୪ବର୍ଷରୁ କମ୍ ବାଳିକା ବିଭାଗ ଖୋଖୋ, ୧୪ବର୍ଷରୁ କମ ବାଳକ ବିଭାଗ ସ୍କେଟିଙ୍ଗ, ୧୭ବର୍ଷରୁ କମ ବାଳିକା ବିଭାଗ ଚେସ୍‌, ୧୯ବର୍ଷରୁ କମ୍ ବାଳକ ବିଭାଗ ଏରୋବିକ୍ସ ରେ ସ୍ୱର୍ଣ୍ଣ, ୧୭ବର୍ଷରୁ କମ୍ ବାଳକ ବିଭାଗ ଚେସ୍‌, ଲନ୍ ଟେନିସ୍‌,ରୋଲର ସ୍କେଟିଙ୍ଗ୍ ଓ ତୀରନ୍‌ଦାଜ୍‌, ୧୯ବର୍ଷରୁ କମ୍ ବାଳକ ବିଭାଗ କ୍ରିକେଟରେ ରୌପ୍ୟ, ୧୪ବର୍ଷରୁ କମ୍ ବାଳିକା ବିଭାଗ ଲନ୍ ଟେନିସ୍‌, ଚେସ୍‌, ଏରୋବିକ୍ସ ଓ ଦୌଡ଼ିଡିଆଁ ଏବଂ ୧୭ବର୍ଷରୁ କମ୍ ବାଳିକା ବିଭାଗ ତୀରନ୍‌ଦାଜ୍‌ରେ କାସ୍ୟଂ ପଦକ ସହ ରାଜ୍ୟକୁ ଏହି ଜାତୀୟ ପ୍ରତିଯୋଗିତାରେ ଏକ ବିଶାଳ ପଦକ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ ।

ବିଦ୍ୟାଳୟ ସମୂହର ସର୍ବୋଚ୍ଚ ଅନୁଷ୍ଠାନ ଡି.ଏ.ଭି କଲେଜ ପରିଚାଳନା ସମିତି, ନୂଆଦିଲ୍ଲୀ ଦ୍ୱାରା ପରିଚାଳିତ ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ବିଦ୍ୟାଳୟରୁ କ୍ଲଷ୍ଟର ଏବଂ ଜୋନାଲ ପ୍ରତିଯୋଗିତା ମାଧ୍ୟମରେ ଉତ୍ତୀର୍ଣ୍ଣ ହୋଇ ୧୫୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଇଣ୍ଡିଆ ଗେଟ୍ ସ୍ଥିତ ମେଜର ଧ୍ୟାନଚାନ୍ଦ୍ ଷ୍ଟାଡିୟମରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ତଥା ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଦେଶର ସଫଳ କ୍ରୀଡ଼ାବିତ୍‌ଙ୍କ ଉପସ୍ଥିତିରେ ସମିତିର ସଭାପତି ଶ୍ରୀଯୁକ୍ତ ପୁନମ୍ ସୁରୀ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟ ଡି.ଏ.ଭି ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀଙ୍କର ମାର୍ଗଦର୍ଶନ, ଜାତୀୟ କ୍ରୀଡ଼ାର ରାଜ୍ୟ ସଂଯୋଜକ ତଥା ଡି.ଏ.ଭି ୟୁନିଟ୍‌-୮ ଭୁବନେଶ୍ୱରର ଅଧ୍ୟକ୍ଷା ଶ୍ରୀମତୀ ଇପ୍‌ସିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, ଡି,ଏ.ଭି କଳିଙ୍ଗ ନଗରର ବରିଷ୍ଠ କ୍ରୀଡ଼ା ଶିକ୍ଷକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଡି.ଏ.ଭି ଝାରସୁଗୁଡ଼ାର ବିଜୟ କୁମାର ଦାସ, ଡି.ଏ.ଭି ରାଉରକେଲାର ମିନତୀ ପାତ୍ର ଏବଂ ଡି.ଏ.ଭି ବ୍ରଜରାଜନଗରର ନିବେଦିତା ରାଉତରାୟଙ୍କର ନେତୃତ୍ୱରେ ରାଜ୍ୟର ଏହି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଦଳକୁ ଉପଯୁକ୍ତ ମାର୍ଗଦର୍ଶନ ଦେବାପାଇଁ ଡି.ଏ.ଭି ବସୁନ୍ଧରାର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ବେଦ୍‌ବାକ୍‌, ଡି.ଏ.ଭି ଅନୁଗୁଳର ଅଧ୍ୟକ୍ଷ ସମୀର କାନୁନଗୋ, ଡି.ଏ.ଭି ବନହରପାଲୀର ଅଧ୍ୟକ୍ଷା ଅନୀତା ଭାଗ୍ୟରାଜ ଓ ଅଦାନୀ ଡି.ଏ.ଭି ଭଦ୍ରକର ଅଧ୍ୟକ୍ଷା କ୍ରିଷ୍ଣପ୍ରିୟା ଷଡ଼ଙ୍ଗୀ ପ୍ରମୁଖ ଦଳସହ ଦିଲ୍ଲୀ ଯାତ୍ରା କରିଥିଲେ । ରାଜ୍ୟ ମଧ୍ୟରେ ଏହି ପ୍ରତିଯୋଗିତା ପାଇଁ ମନୋନୟନ ପଦ୍ଧତିକୁ ପରିଚାଳନା କରୁଥିବା କ୍ଲଷ୍ଟର ମୁଖ୍ୟ ଡି.ଏ.ଭି ପୋଖରୀପୁଟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ, ଡି.ଏ.ଭି କଣିହାଁ ତାଳଚେରର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ରାଜ୍ୟଦଳର ଏହି ଯାତ୍ରାକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ଆଞ୍ଚଳିକ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ ନିର୍ଦ୍ଦେଶିକା, ବିଭିନ୍ନ ବିଦ୍ୟାଳୟର ମୁଖ୍ୟ, କ୍ରୀଡ଼ାବିତ, ଅଭିଭାବକ, ବୁଦ୍ଧିଜୀବୀ ତଥା ବିଭିନ୍ନ ବିଭାଗରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି ।

Breaking News