ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡିପ୍ଫେକ୍କୁ ର ମୁକାବିଲା ଲାଗି ଆଇଟି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ଜାରି କରିଛି। ଡିପ୍ଫେକ୍ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକଟ କରିବା ପରେ ନିୟମକୁ କଡ଼ାକରି କରାଯାଇଛି | ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ୍, କାଜୋଲ୍, ଆଲିଆ ଭଟ୍ଟ, ଶିଳ୍ପପତି ରତନ ଟାଟା, ଏନ୍ ଆର୍ ନାରାୟଣମୂର୍ତ୍ତି ଡିପ୍ଫେକ୍ର ଶିକାର ହେବା ପରେ ଏହି ସମସ୍ୟା କେତେ ଗମ୍ଭୀର ତାହା ଜନସାଧାରଣଙ୍କୁ ଅବଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଲୋକମାନଙ୍କୁ ସତର୍କ ରହିବାକୁ ଆହ୍ବାନ ଦେଇଥିଲେ। ଏହା ପରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ଓ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ଏକ ବୈଠକ ଡକାଯାଇଥିଲା। ଦୁଇ ଥର ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବ ବୈଠକରେ ମେଟା, ଗୁଗୁଲ୍, ଟେଲିଗ୍ରାମ, କୁ, ସେୟାରଚାଟ୍, ଆପଲ୍, ଏଚ୍ପି ଓ ଡେଲ୍ ଭଳି ସଂସ୍ଥାର ପ୍ରତିନିଧି ଭାଗ ନେଇଥିଲେ। ଜାରି ହୋଇଥିବା ମାର୍ଗଦର୍ଶିକା ସାମାଜିକ ଗଣମାଧ୍ୟମଗୁଡ଼ିକୁ ଆଇଟି ନିୟମର ଧାରା ୩(୧)(ବି)କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି। ଅତି ସରଳ ଓ ସ୍ପଷ୍ଟ ଭାଷାରେ ଏବିଷୟରେ ବ୍ୟବହାରକାରୀମାନଙ୍କୁ ଅବଗତ କରିବାକୁ ସରକାର କଂପାନିଗୁଡ଼ିକୁ କହିଛନ୍ତି। କୌଣସି ବ୍ୟକ୍ତି ନୂଆ ପଞ୍ଜୀକରଣ କରିବା ସମୟରେ ଏବଂ ନିୟମିତ ବ୍ୟବଧାନରେ ତାଙ୍କୁ ଏବିଷୟରେ କଂପାନିଗୁଡ଼ିକ ମନେ ପକାଇବେ। ଏହା ବ୍ୟତୀତ ବେଆଇନ ବିଷୟ ପୋଷ୍ଟ କଲେ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଓ ଆଇଟି ନିୟମ ୨୦୦୦ରେ ଯେଉଁ ଜରିମାନା ଓ ଦଣ୍ଡର ବ୍ୟବସ୍ଥା ରହିଛି ସେବିଷୟରେ ମଧ୍ୟ ଲୋକମାନଙ୍କୁ କଂପାନି ସୂଚିତ କରିବେ। ଡିଜିଟାଲ୍ ମାଧ୍ୟମରେ ଯେଉଁ ୧୧ଟି ବିଷୟକୁ ନିଷିଦ୍ଧ କରାଯାଇଛି ତାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ବେଆଇନ ହୋଷ୍ଟିଂ, ପ୍ରଦର୍ଶନ, ଅପ୍ଲୋଡ୍, ପରିବର୍ତ୍ତନ, ଫିସିଂ, ବିତରଣ, ସଂରକ୍ଷଣ, ଅପ୍ଡେଟ୍ ଓ ସେୟାର କରିବା ଆଦି ଏଥିରେ ସାମିଲ ରହିଛି। ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ମିଥ୍ୟା ତଥ୍ୟ ଇଣ୍ଟରନେଟ୍ରେ ସକ୍ରିୟ ନାଗରିକ ସୁରକ୍ଷା ଓ ବିଶ୍ବାସ ପ୍ରତି ଏକ ବଡ଼ ବିପଦ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ବାରା ପ୍ରସ୍ତୁତ ଡିପ୍ଫେକ୍ ସେହି ବିପଦକୁ ଆହୁରି ବଢ଼ାଇ ଦେଇଛି। ଡିପ୍ଫେକ୍ ବିପଦ ସମ୍ପର୍କରେ ଗତ ନଭେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ସତର୍କ କରାଇଥିଲେ ବୋଲି ସେ କହିଛନ୍ତି। ଇଣ୍ଟରନେଟ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବାରୁ ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ୍ କଂପାନିଗୁଡ଼ିକୁ ସରକାର ତାଗିଦ କରିଥିଲେ। କ’ଣ ପୋଷ୍ଟ୍ କରାଯାଇପାରିବ ଓ କ’ଣ ପୋଷ୍ଟ ହୋଇପାରିବନି, ସେ ବିଷୟରେ ବ୍ୟବହାରକାରୀଙ୍କୁ ଜଣାଇବା ଲାଗି କଂପାନିଗୁଡ଼ିକୁ କୁହାଯାଇଥିଲା।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..