ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା ତନାଘନା କରୁଛି। ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍ ସିମ୍ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୋଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା। ଖବର ଅନୁଯାୟୀ, ଦିଲ୍ଲୀ ସାହିନବାଗ ଥାନା ପୋଲିସ ଯାଜପୁର ଓ ଭଦ୍ରକ ମଞ୍ଜୁରୀରୋଡ୍ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି! । ମଞ୍ଜୁରୀରୋଡ୍ ବଜାରରେ ମୋବାଇଲ୍ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ତାଙ୍କ ସହଯୋଗୀ ତରାଗୋ ଅଞ୍ଚଳର ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୋଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା । ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ଦିଲ୍ଲୀ ପୋଲିସ ରିମାଣ୍ଡରେ ନେଇଯାଇଛି। ଉଭୟ ମିଳିତ ଭାବେ ସେମାନଙ୍କ ଦୋକାନକୁ ନୂଆ ସିମ୍ କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ୍ ଆକ୍ଟିଭ୍ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ୍ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ। ଗ୍ରାହକଙ୍କ ଅଜାଣତରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଥିଲା। ଯାଜପୁର କୋରେଇ ଥାନା ଅଞ୍ଚଳର ବହୁ ବେକାର ଯୁବକଙ୍କୁ ଏ ଦୁହେଁ ସେମାନଙ୍କ ଦୋକାନରୁ ସିମ୍ କିଣିବାକୁ ପ୍ରଲୋଭିତ କରୁଥିଲେ। ପ୍ରତି ସିମ୍ ପାଇଁ ୨ରୁ ୩ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ | ଆକ୍ଟିଭ୍ ହୋଇଥିବା ଅନ୍ୟ ସିମ୍ ଗୁଡ଼ିକୁ ଉଚ୍ଚ ଦାମରେ ବେନାମୀ ଲୋକଙ୍କୁ ବିକ୍ରୟ କରାଯାଉଥିଲା ଏବଂ ଏହି ସିମ୍ କାର୍ଡଗୁଡ଼ିକୁ ଅପରାଧିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା। ଉଭୟଙ୍କ ଆକାଉଣ୍ଟରେ ବିପୁଳ ଟଙ୍କାର କାରବାର ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..