ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ଇଡି ରେଡ୍ କରିଛି। ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ର ଗୋଟିଏ ଟିମ୍ ତାଙ୍କ ଘରେ ପହଞ୍ଚି ଛାନଭିନ କରିଛି। ଶ୍ରୀ ଜୈନଙ୍କ ବାସଭବନ ବ୍ୟତୀତ ଆଉ କିଛି ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇଛି। ଏବେ ବି ରେଡ୍ ଜାରି ରହିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନି। ହାୱାଲା ଅପରେଟରଙ୍କ ଜରିଆରେ ସତ୍ୟେନ୍ଦ୍ର ଜୈନଙ୍କ କମ୍ପାନୀ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଇଡି ଜାଣିବାକୁ ପାଇଛି। ଏଥିପାଇଁ ଇଡି ତାଙ୍କୁ ମେ’ ୩୦ରେ ଗିରଫ କରିଥିଲା। ଏବେ ସେ ଜୁନ ୯ ତାରିଖ ଯାଏ ଇଡି ହେପାଜତରେ ରହିଛନ୍ତି। ଇଡି ତାଙ୍କୁ ଦୈନିକ ଜେରା କରି ଘଟଣା ସମ୍ପର୍କରେ ବିଭିନ୍ନ ପ୍ରକାରର ତଥ୍ୟ ହାସଲ କରିବାରେ ଲାଗିଛି। ତାଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଆଜି ବିଭିନ୍ନ ଠିକଣାରେ ରେଡ୍ କରାଯାଇଥିବା ଜଣାପଡ଼ିଛି। ତ୍ୟେନ୍ଦ୍ର ଜୈନ ୨୦୧୫ରୁ ୨୦୧୭ ମଧ୍ୟରେ ବେଆଇନ ଭାବେ ୧.୬୭ କୋଟି ଟଙ୍କା ଠୁଳ କରିଥିଲେ। ଏହି ଟଙ୍କା ଜମି କିଣିବା ପାଇଁ ବ୍ୟବହାର ହୋଇଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ ଶେଲ କମ୍ପାନୀଗୁଡ଼ିକ କୋଲକାତାର ୨ ଜଣ ବ୍ୟକ୍ତି ପରିଚାଳନା କରୁଥିଲେ। ସେମାନେ ୧୦୦ ଟଙ୍କାରେ ୧୫ରୁ ୨୦ ପଇସା କମିସିନ ନେଇ ବେଆଇନ ଆର୍ଥିକ କାରବାର କରୁଥିବା ସ୍ୱୀକାର କରିଛନ୍ତି। ହାୱାଲା ଅପରେଟରମାନଙ୍କ ଦ୍ୱାରା ୪ଟି ଶେଲ କମ୍ପାନୀକୁ ଟଙ୍କା ପଠା ଯାଉଥିଲା ଓ ଦିଲ୍ଲୀରେ ଗୋଟିଏ ଜମି କିଣିବାକୁ ଏହାକୁ ବ୍ୟବହାର କରାଯାଇଥିଲା। ଏହି ଘଟଣାରେ ସତ୍ୟେନ୍ଦ୍ର ଜୈନ ସାମିଲ ଥିବା ଇଡି କହିଛି। ଅନ୍ୟପକ୍ଷରେ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ତାଙ୍କ ଦଳ ଆମ ଆଦମୀ ପାର୍ଟି(ଆପ) ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରି ଏପରି ଗିରଫଦାରୀ କରିଥିବା ଦଳ ଅଭିଯୋଗ କରିଛି।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..