Report Card Odisha

| Daily Odia News

ଆଜି ପୌରାଞ୍ଚଳ ଉପାଧ୍ୟକ୍ଷ ନିର୍ବାଚନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ୧୦୫ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳ (ଏନଏସି)ର ଉପାଧ୍ୟକ୍ଷ ଏବଂ କଟକ ମହାନଗର ନିଗମ(ସିଏମସି)ର ଡେପୁଟି ମେୟର ପଦବୀ ପାଇଁ ଗୁରୁବାର ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ନବନିର୍ବାଚିତ କାଉନସିଲର ଓ କର୍ପୋରେଟରଙ୍କ ମଧ୍ୟରୁ କାହାକୁ ଉପାଧ୍ୟକ୍ଷ ପଦବୀରେ ଆସୀନ କରାଯିବ ସେ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଚାଲିଛି ମାନସ ମନ୍ଥନ। ଅନ୍ୟପଟେ ଉପାଧ୍ୟକ୍ଷ ଟିକଟ ପାଇଁ ଦଳୀୟ କାଉନସିଲରଙ୍କ ମଧ୍ୟରୁ କିଛି ପ୍ରାର୍ଥୀ ହେବା ଲବିରେ ରହିଛନ୍ତି। ତେବେ ସଂଖ୍ୟା ଗରିଷ୍ଠତା ନ ଥିବା ପୌରାଞ୍ଚଳ ଏବଂ ଏନଏସିର ଉପାଧ୍ୟକ୍ଷ ପଦବୀକୁ ହାତେଇବା ପାଇଁ ଆରମ୍ଭ ହୋଇଛି ଘୋଡା ବେପାର। ଏଠାରେ ପ୍ରମୁଖ ରାଜନୈତିକ ଦଳର ଲକ୍ଷ୍ୟ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିବା କାଉନସିଲରଙ୍କ ଉପରେ। ଯେଉଁ ପୌରାଞ୍ଚଳ ଏବଂ ଏନଏସିରେ ବିଜେଡି, ବିଜେପି ଏବଂ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନାହାନ୍ତି ସେଠାରେ ସ୍ବାଧୀନ କାଉନସିଲର ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ। ନିର୍ବାଚନ ପୂର୍ବରୁ ସ୍ବାଧୀନ ଏବଂ ଅନ୍ୟ ଦଳରୁ କାଉନସିଲରଙ୍କୁ ଆଣି ନିଜ ଦଳରେ ସାମିଲ କରି ଉପାଧ୍ୟକ୍ଷ ପଦବୀ ହାତେଇବାକୁ ଚାଲିଛି ପ୍ରୟାସ |

Breaking News