ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ପଦାରେ ପଡୁଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ଅସନ୍ତୋଷ ଝାଡୁଛନ୍ତି। ଏହା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ଏମ୍ପି ଦେବାଶିଷ ସାମନ୍ତରାୟ ମଧ୍ୟ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି | ସେ କହିଛନ୍ତି, ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି। ଟିକେଟ୍ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ୍ ଦେଇନି ଦଳ। ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ଅଛି ବୋଲି ଦେବାଶିଷ କହିଛନ୍ତି। କିଛିଦିନ ତଳେ ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀ ମିଶ୍ର କାହା ନାଁ ନ ନେଇ କଡ଼ା ଆକ୍ଷେପ କରିଥିଲେ। ସେ କହିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ସେ ସଫାସଫା କହିଥିଲେ। କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ। ମହିଳାଙ୍କୁ ଅପମାନିତ କରିବା ବ୍ୟକ୍ତି ମହିଳା ସଶକ୍ତୀକରଣ ସ୍ଲୋଗାନ ଦେଲେ ଜନେ ହସନ୍ତି ବୋଲି ସେ କହିଥିଲେ। ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ, ଅନ୍ୟାୟର ଶିଡ଼ି ଚଢ଼ୁଥିବା ବ୍ୟକ୍ତି ନ୍ୟାୟମୂର୍ତ୍ତି ପାଇଁ ଚେଷ୍ଟା କରନ୍ତି ଯେଉଁଥିପାଇଁ ଜନେ ହସନ୍ତି। ତେବେ ସବୁଠୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଶ୍ରୀମୟୀ କୁଆଡ଼େ ଏମିତି କହିଥିଲେ ବୋଲି ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚା ହେଉଛି। ଏଥିସହିତ ଦେବାଶିଷ ସାମନ୍ତରାୟ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସ୍ପେଣ୍ଡ କରିବା କଥା ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସ୍ପେଣ୍ଡ କରିବା ଠିକ୍ ନୁହେଁ। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲଙ୍କୁ ବିଜେଡିରୁ ସସ୍ପେଣ୍ଡ କରିବା ଭୁଲ୍ ନିଷ୍ପତ୍ତି। ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡ଼ି ଚାଲି ଯାଉଛନ୍ତି। ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ। ବିଜେଡିରେ ନ ଥିବା କଥାକୁ ଏଡ଼ାଇଛନ୍ତି ଦେବାଶିଷ। କହିଲେ ମୁଁ ଦଳରେ ଅଛି, କୋଣଠେସା ହୋଇନାହିଁ। ଯେତେବେଳେ କହିବାକୁ କୁହାଯାଉଛି ସଂସଦରେ କହୁଛି।
More Stories
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……
ଭିଜିଲାନ୍ସ ଜାଲରେ ରେଂଜର……