Report Card Odisha

| Daily Odia News

ଧାମନଗର ଉପନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ ୫ ପ୍ରାର୍ଥୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଧାମନଗର ଉପନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ ୫ ପ୍ରାର୍ଥୀ | ଅକ୍ଟୋବର ୧୪ ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଜଣଙ୍କର ପ୍ରାର୍ଥୀତ୍ବ ଖାରଜ ହୋଇଥିବା ବେଳେ ଅନ୍ୟ କେହି ନାମାଙ୍କନ ପ୍ରତ୍ୟାହାର କରି ନାହାନ୍ତି । ତେଣୁ ୫ ଜଣ ପ୍ରାର୍ଥୀ ନିର୍ବାଚନ ପ୍ରତିନ୍ଦ୍ବନ୍ଦ୍ବିତା କରିବା ନେଇ ନିଶ୍ଚିତ ହୋଇଛି। ଏନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ପ୍ରଦାନ କରିଛନ୍ତି। ସେ ଦେଇଥିବା‌ ସୂଚନା ଅନୁସାରେ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପୋଷ୍ଟାଲ ବାଲେଟର ବ୍ୟବସ୍ଥା କରାଯାଇଛି । ଧାମନଗର ନିର୍ବାଚନ ମଣ୍ଡଳୀରେ ଇଲେକ୍ଟରଲ ରୋଲରେ ସମୁଦାୟ ୨୩୮୦୧୭ ଜଣ ଭୋଟର ରହିଛନ୍ତି । ୨୫୨ ପୋଲିଂ ସେକ୍ସନ ହୋଇଛି ।୧୩୪ଟି ବୁଥର ନାମ ବଦଳିଛି । ଇତିମଧ୍ୟରେ ପୋଲିଂ ଅଫିସରମାନଙ୍କ ପ୍ରଥମ ରାଉଣ୍ଡ ଟ୍ରେନିଂ ସରିଛି । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ପୋଷ୍ଟର ଆଉ ବ୍ୟାନର ଯେଉଁଠି ଲାଗିଥିଲା ସେସବୁ ବାହାର କରାଯାଇଛି । ଯେମିତି ପ୍ରତି ନିର୍ବାଚନରେ ହୁଏ ସେମିତି ମତଦାନ ହେବାର ଦୁଇଦିନ ପୂର୍ବରୁ ବନ୍ଦ ହେବ ମଦ ଦୋକାନ । ମତଦାନ ଦିନ ଛୁଟି ଘୋଷଣା ହେବ । ଭୋଟ ଯେମିତି ସୁରୁଖୁରୁରେ ହେବ ସେଥିପାଇଁ ଭୋଟ ପାଇଁ ୨୬ ଜଣ ମାଇକ୍ରୋ ଅବଜର୍ଭର ନିୟୋଜିତ ହେବେ । ୧୭ ପ୍ଲାଟୁନ ପୋଲିସ ମୁତୟନ ହେବେ । ପ୍ରତି ପ୍ରାର୍ଥୀ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରି ପାରିବେ । ତା’ଠାରୁ ଅଧିକ ଖର୍ଚ୍ଚ କରୁଥିବା ନେଇ କୌଣସି ପ୍ରାର୍ଥୀଙ୍କ କିଛି ଭିଡ଼ିଓ ଆସିଲେ କିମ୍ବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Breaking News