ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ୧୪ ଗୋଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଏମପି ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ (NCBC)ର ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।ଓଡ଼ିଶା ସରକାରଙ୍କ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗ (SEBC) ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ, ଆଳିଆ, ପାଇକାଳି, କଳିଙ୍ଗୀ ଶୂଦ୍ର ଖଣ୍ଡାୟତ, ମହାନାୟକ ଶୂଦ୍ର, ଓଡ଼-ଖଣ୍ଡାୟତ, ବୟାଳିଶା, ଓଡ଼, ଓଡ଼ ପାଇକ, ଓଡ଼ ପାଇକୋ, ହଳଦିଆ ତେଲି ଏବଂ ରାଜଶ୍ରୀବଳାସୀ/ବଳାସୀ ଭଳି ୧୪ଟି ଜାତିକୁ କେନ୍ଦ୍ରୀୟ ତାଲିକାରେ ସାମିଲ କରିବା ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।ପ୍ରଧାନଙ୍କ ଅନୁଯାୟୀ, ରାଜ୍ୟ SEBC ତାଲିକାରେ ଥିବା ଅନେକ ଜାତି କେନ୍ଦ୍ରୀୟ OBC ତାଲିକାରେ ନଥିବାରୁ ଏହି ସମ୍ପ୍ରଦାୟର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି, ଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରେ ସଂରକ୍ଷଣର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି।ସେ କହିଛନ୍ତି ଯେ ଏହି ବର୍ଗକୁ କେନ୍ଦ୍ରୀୟ OBC ତାଲିକାରେ ସାମିଲ କରାଗଲେ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଘଟିବ ଏବଂ ଏହା ସାମାଜିକ ନ୍ୟାୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।ଓଡ଼ିଶାରେ SEBC ବର୍ଗ ପାଇଁ ରାଜ୍ୟ ସରକାରୀ ଚାକିରି ଏବଂ ଉଚ୍ଚଶିକ୍ଷାରେ ୧୧.୨୫ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି। ଅପରପକ୍ଷରେ, କେନ୍ଦ୍ର ସରକାରଙ୍କ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ OBC ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।






More Stories
ରାଜଧାନୀରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ…..
ବୃଦ୍ଧି ହେଲା ପ୍ରାକ୍ ମାଟ୍ରିକ ଛାତ୍ରବୃତ୍ତି…..
ଶପଥ ନେଲେ ଜୟ ଢୋଲକିଆ…..