ରିପୋର୍ଟ କାର୍ଡ / କଟକ
ଗାଁ ଗହଳିରେ ଲୋକେ ଡାକ୍ତର, ଓକିଲ ଓ ଶିକ୍ଷକଙ୍କୁ ଭଗବାନ ମାନନ୍ତି। ଡାକ୍ତରମାନେ ନିଷ୍ଠାର ସହିତ ସେବା କରି ରୋଗୀଙ୍କୁ ଭଲ କରି ପାରନ୍ତି। ଭଗବାନଙ୍କୁ ଆମେ ଦେଖି ନାହୁଁ। କିନ୍ତୁ ଡାକ୍ତରମାନେ ତାଙ୍କର ସେବା ବଳରେ ରୋଗୀଙ୍କୁ ଭଲ କରନ୍ତି। ସେବା ପ୍ରତି ଆନ୍ତରିକତା ନଥିଲେ, ଜଣେ ବ୍ୟକ୍ତି ଭଲ ଡାକ୍ତର ହୋଇପାରିବେ ନାହିଁ। ତେଣୁ ସେବା କରିବା ପାଇଁ ଡାକ୍ତରଙ୍କ ମନରେ ଦରଦ ରହିବା ଦରକାର। ଡାକ୍ତରୀ ଏକ ବୃତ୍ତି ନୁହେଁ,ବରଂ ଏହା ଏକ ବ୍ରତ। ଭାରତୀୟ ସଂସ୍କୃତିରେ ନରସେବାକୁ ନାରାୟଣ ସେବା ବୋଲି କୁହାଯାଇଥାଏ। କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ (ଏସ୍ସିବି) ଭେଷେଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ଏସ୍ସିବିର ବାର୍ଷିକ ଉତ୍ସବରେ ଯୋଗଦେଇ ବୁଧବାର ମହାମହିମ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଲୋକଙ୍କର କଷ୍ଟ ଦୂର କରିବା ଡାକ୍ତରଙ୍କ ବଡ଼ କାମ। ମୁନୀଋଷିମାନେ କହିଛନ୍ତି, ଦୁଃଖି ଲୋକଙ୍କର ପାଇଁ ସେବା କରିବା ଉଚିତ। ପୂର୍ବାପେକ୍ଷା ମାତୃ ଓ ଶିଶୁ ମୃତ୍ୟୁହାର ବହୁ ପରିମାଣରେ ହ୍ରାସ ପାଇଛି। ଡାକ୍ତରଙ୍କ ସେବା ଯୋଗୁଁ ବହୁ ମୂଲ୍ୟବାନ ଜୀବନ ବଞ୍ଚିଯାଉଛି। ଯେତେବେଳେ କୋଭିଡ-୧୯ ବିଶ୍ବକୁ ଦେହଲାଇ ଦେଇଥିଲା ସେତେବେଳେ ଭାରତୀୟ ଚିକିତ୍ସକମାନେ ନିଜ ଜୀବନକୁ ଭୃକ୍ଷେପ ନକରି ଓ ପରିବାରକୁ ଛାଡ଼ି ଦେଇ ଯେଉଁ ସେବା କଲେ, ତାହା ବାସ୍ତବରେ ପ୍ରଶଂସନୀୟ। ଭାରତ ନିଜ ଜ୍ଞାନକୌଶଳରେ ଟିକା ଉତ୍ପାଦନ କରିପାରିଛି। ଭାରତ ସମଗ୍ର ବିଶ୍ବବାସୀଙ୍କୁ ୨୨୨୦ କୋଟି ଟିକା ଦେଇପାରିଛି। କୋଭିଡ-୧୯କୁ ଭଲ ଭାବରେ ମୁକାବିଲା କରିଛି। ଏହି ମୁକାବିଲା ପାଇଁ ଚିକିତ୍ସକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତାଙ୍କୁ ଯେତେ ପ୍ରଶଂସା କଲେ ବି ଯଥେଷ୍ଟ ହେବ ନାହିଁ। ମେଡିକାଲ କ୍ଷେତ୍ରରେ ପିଲାମାନେ ଗବେଷଣା କ୍ଷେତ୍ରକୁ ମଧ୍ୟ ଆସିବା ଦରକାର। ପିଲାମାନେ ଭଲ ଗବେଷଣା କରିପାରିଲେ ନୋବେଲ ପୁରସ୍କାର ପାଇପାରିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୪୭ରେ ଭାରତ ଶତବାର୍ଷିକ ପାଳନ କରିବ। ସେତେବେଳେକୁ ଭାରତ ପୂର୍ଣ୍ଣ ବିକଶିତ ଦେଶ ହେବା ଲକ୍ଷ୍ୟରେ କାମ କରିବା ଦରକାର।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..