Report Card Odisha

| Daily Odia News

ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଶପଥ ଗ୍ରହଣ କରିବେ | ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି | ବିଜୟ ଭାରତ ପାଇଁ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦେଶ ପାଇଛି ଆଦିବାସୀ ମହିଳା ରାଷ୍ଟ୍ରପତି । ସେ ହେଉଛନ୍ତି ଦେଶର ସର୍ବକନିଷ୍ଠା ପ୍ରଥମ ନାଗରିକ | ଯାହାକି ଓଡିଶା ପାଇଁ ଗର୍ବ ଆଉ ଗୋୖରବ | ସୋମବାର ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। ଶପଥ ନେବେ ଦେଶର ୧୫ ତମ ରାଷ୍ଟ୍ରପତି | ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ବୃନ୍ଦ, ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରିଗଣ, କୂଟନୀତିଜ୍ଞ ମିଶନ ମୁଖ୍ୟ, ସାଂସଦଗଣ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀଗଣ ଉତ୍ସବ ନିମନ୍ତେ କେନ୍ଦ୍ରୀୟ କକ୍ଷରେ ସମବେତ ହେବେ। ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ଏକ ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ରୀୟ କକ୍ଷରେ ପହଞ୍ଚିବେ। ନବନିର୍ବାଚିତ ରାଷ୍ଟ୍ରପତି ଭାରତର ପ୍ରଧାନବିଚାରପତିଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ନେବେ ଓ ପରେ ୨୧ଟି ତୋପ ସଲାମି ଦିଆଯିବ। ତା’ପରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ପ୍ରଦାନ କରିବେ। କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ନୂତନ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଯିବେ। ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ଓ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସମ୍ମାନ ପ୍ରଦାନ କରାଯିବ ବୋଲି ସରକାରଙ୍କ ସୂତ୍ରରୁ ସୂଚନା ମିଳିଛି।

Breaking News