Report Card Odisha

| Daily Odia News

DRDOରୁ ତଥ୍ୟ ଚୋରି ଘଟଣା:ଜେରାବେଳେ ନୂଆ ନୂଆ ତଥ୍ୟ ଓଗାଳୁଛନ୍ତି ୫ ଅଭିଯୁକ୍ତ…..

ରିପୋର୍ଟ କାର୍ଡ / କଟକ

ବାଲେଶ୍ୱରର ଚାନ୍ଦିପୁରସ୍ଥିତ ଡିଆରଡିଓ ରୁ ଗୁପ୍ତତଥ୍ୟ ଚୋରି କରିବା ଘଟଣାରେ ଧରାପଡ଼ିଥିବା ୫ ଅଭିଯୁକ୍ତଙ୍କୁ ସୋମବାର ଦ୍ୱିତୀୟ ଦିନରେ ପଚରାଉଚରା କରାଯାଇଥିଲା। ଜେରା ପରେ ବହୁ ତଥ୍ୟ ଅପରାଧ ନିୟନ୍ତ୍ରଣ ଶାଖାର ତଦନ୍ତ ଅଧିକାରୀଙ୍କ ହାତରେ ଲାଗିଛି। ମିରଟର ଏକାଧିକ କଠୋରପନ୍ଥୀ ବ୍ୟକ୍ତିଙ୍କ ସମେତ ବିଦେଶରୁ ବିପୁଳଅର୍ଥ ଆସୁଥିବା ତଦନ୍ତରୁ ଜଣାପଡିଛି । ଏହି ତଥ୍ୟ ବଦଳରେ ସେମାନଙ୍କ ନିକଟକୁ ସିଧାସଳଖ ବିଦେଶରୁ ଟଙ୍କା ଆସିଥାଏ। ମଧ୍ୟସ୍ଥଙ୍କ ଜରିଆରେ ଖୁବ୍‍ ଚତୁରାତର ସହିତ ଏହି ଅର୍ଥ କାରବାର ହୋଇଥାଏ । ଥରେ ଯଦି କିଏ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ,ତାକୁ ଏହି କାର୍ଯ୍ୟରେ ପାଇଁ ବହୁ ପରିମାଣର ଅର୍ଥ ଯୋଗାଇ ଦିଆଯାଇଥାଏ। ବିଶେଷକରି ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଯୁବତୀଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭନ ଦେଖାଯାଇ ଅକ୍ତିଆରକୁ ଅଣାଯାଇଥାଏ। ପରେ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ବଡ଼ ବଡ଼ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ଯୁବତୀଙ୍କ ଜାଲରେ ଫସାଇବା ଲାଗି ବାଧ୍ୟ କରାଯାଇଥାଏ। ନିଜର ସୌନ୍ଦର୍ଯ୍ୟତାର ମାୟାଜାଲ ବିଛାଇ ଯୁବତୀମାନେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କଠାରୁ ନିଜ କବ୍‍ଜାକୁ ଆଣିବାରେ ସଫଳ ହୋଇଥାନ୍ତି। ଯୁବତୀଙ୍କୁ ମାଧ୍ୟମ କରି ବହୁ ଗୁପ୍ତ ତଥ୍ୟ ସଂଗ୍ରହ କରାଯାଇଥାଏ ବୋଲି ଅଭିଯୁକ୍ତମାନେ କହିଛନ୍ତି। ଅଭିଯୁକ୍ତମାନେ ୨ବର୍ଷରୁ ଅଧିକ ସମୟ ହେଲାଣି ଯୁବତୀଙ୍କ ଜାଲରେ ପଡ଼ି ଗୁପ୍ତଚର କାର୍ଯ୍ୟ କରିବା ସହିତ ତଥ୍ୟ ଚୋରି କରୁଥିଲେ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ମିରଟର ଜଣେ କ୍ଷମତାଶଳୀ ବ୍ୟକ୍ତି ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଲୋଭ ଦେଖାଇ ଗୁପ୍ତଚର ବୃତ୍ତି କରିବାକୁ ପ୍ରୋତ୍ସାହିତ କରିଥିବା ଅପରାଧ ନିୟନ୍ତ୍ରଣ ଶାଖାର ଅଧିକାରୀମାନେ ଜାଣିପାରିଛନ୍ତି। ଏହି କାରବାରରେ ସମ୍ପୃକ୍ତ ଥିବା ତିନି ଯୁବତୀଙ୍କ ଠିକଣା ସମ୍ପର୍କରେ ଅଭିଯୁକ୍ତମାନେ ତଥ୍ୟ ପ୍ରଦାନ କରିଛନ୍ତି। ପ୍ରତିଦିନ ନୂଆ ତଥ୍ୟ ଜେରାବେଳେ ଆସୁଥିବାରୁ ଅଭିଯୁକ୍ତଙ୍କୁ ଆଉ ୫ ଦିନ ଜିମାରେ ନେବା ପାଇଁ ଆବେଦନ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Breaking News