ରିପୋର୍ଟ କାର୍ଡ / ଭୁବନେଶ୍ବର
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ହେଲେ ଦେଶର ୧୫ ତମ ରାଷ୍ଟ୍ରପତି | ଚତୁର୍ଥ ରାଉଣ୍ଡରେ ଦ୍ରୌପଦୀ ବିପୁଳ ପରିମାଣ ଭୋଟରେ ବିଜୟୀ ହୋଇଛନ୍ତି | ସେ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହୋଇଛନ୍ତି । ପ୍ରତିଭା ପାଟିଲଙ୍କ ପରେ ଦେଶର ଦ୍ଵିତୀୟ ମହିଳା ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ | ତୃତୀୟ ରାଉଣ୍ଡ ସୁଦ୍ଧା ମୋଟ ବୈଧ ଭୋଟ ହେଉଛି ୩୨୧୯ ଓ ଏହାର ମୂଲ୍ୟ ୮,୩୮,୮୩୯। ଏହା ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨୧୬୧ ଖଣ୍ଡ ଭୋଟ ଓ ଯଶୱନ୍ତ ସିହ୍ନା ୧୦୫୯ ଖଣ୍ଡ ଭୋଟ ପାଇଛନ୍ତି। ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫,୭୭,୭୭୭ ଓ ଶ୍ରୀ ସିହ୍ନାଙ୍କ ଭୋଟ ମୂଲ୍ୟ ୨,୬୧,୦୬୨। ଭୋଟ ମୂଲ୍ୟ ୫୦% ଅତିକ୍ରମ କରି ଯାଇଥିବାରୁ ଦ୍ରୌପଦୀ ମୁର୍ମୁ ଗୋଟିଏ ରାଉଣ୍ଡ ଗଣତି ପୂର୍ବରୁ ହିଁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ଆଉ ଗୋଟିଏ ରାଉଣ୍ଡ ପରେ ଶ୍ରୀମତୀ ମୁର୍ମୁ ମୋଟ ଉପରେ କେତେ ଭୋଟ ପାଇଛନ୍ତି, ତାହା ସ୍ପଷ୍ଟ ହେବ। ସୂଚନା ମୁତାବକ ତୃତୀୟ ରାଉଣ୍ଡରେ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା ଓ ପଞ୍ଜାବ ଆଦି ରାଜ୍ୟର ବିଧାୟକମାନଙ୍କର ଭୋଟ ଗଣନା ହୋଇଥିଲା |ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଥିବା ବେଳେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୫ରେ ଶପଥ ନେବେ। ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ବିଜେଡି, ୱାଇଏସଆର କଂଗ୍ରେସ, ଅକାଳୀ ଦଳ, ଜେଏମ୍ଏମ୍, ଶିବସେନା ଭଳି ଦଳ ଗୁଡିକ ସମର୍ଥନ ଦେଇଥିବାରୁ ବିଜୟୀ ହୋଇଛନ୍ତି । ଉଲ୍ଲେଖ ଯୋଗ୍ୟ- ଦ୍ରୌପଦୀ ମୁର୍ମୁଙ୍କ ୧୯୫୮ ମସିହା ଜୁନ ୨୦ରେ ଜନ୍ମ ହୋଇଥିଲେ | ମୁର୍ମୁ ୧୯୯୭ରେ ରାଇରଙ୍ଗପୁର ମ୍ୟୁନିସିପାଲଟୀ ନିର୍ବାଚନରେ କାନସିଲର ଭାବେ ନିର୍ବାଚିତ ହେବା ସହ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାର ତିନି ବର୍ଷ ପରେ ୨୦୦୦ ମସିହାରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଓଡିଶାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଦୁଇ ଥର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ୧୯୯୭ରେ ମୁର୍ମୁ ବିଜେପିର ଓଡିଶା ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପାଧ୍ୟକ୍ଷ ହୋଇଥିଲେ। ୨୦୦୨ରୁ ୨୦୦୯ ଏବଂ ୨୦୧୩ରେ ମୟୂରଭଞ୍ଜର ବିଜେପି ଜିଲ୍ଲା ସଭାପତି ଭାବେ କାମ କରିଛନ୍ତି। ସେ ବିଜେପି ଏସଟି ମୋର୍ଚ୍ଚାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ ରହିଛନ୍ତି। ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡରେ ରାଜ୍ୟପାଳ ହେବାରେ ପ୍ରଥମ ମହିଳା ଥିଲେ। ସେ ପ୍ରଥମ ଓଡିଶା ଆଦିବାସୀ ମହିଳା ଥିଲେ, ଯାହାଙ୍କୁ ଭାରତର କୌଣସି ରାଜ୍ୟରେ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..