Report Card Odisha

| Daily Odia News

ଭାରତରେ ନିର୍ମିତ କାଶ ସିରପ୍‌ ଖାଉଛନ୍ତି କି,ସତର୍କ:ହୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ଗାମ୍ବିଆରେ ୬୬ଜଣ ପିଲାଙ୍କ ମୃତ୍ୟୁ ଭାରତରେ ନିର୍ମିତ କାଶ ସିରପ୍‌ ଖାଇବା ଯୋଗୁଁ ହୋଇଥାଇ ପାରେ | ଏନେଇ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ସତର୍କ କରାଇବାରୁ ଭାରତ ସରକାର ହରିୟାନାସ୍ଥିତ ଔ‌ଷଧ କମ୍ପାନିରେ ଉତ୍ପାଦିତ ୪ଟି କାଶ ସିରପ୍‌ ଉପରେ ତଦନ୍ତ ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଉଚ୍ଚସ୍ତରୀୟସୂତ୍ର କହିଛି ଯେ, ସେପ୍ଟେମ୍ବର ୨୯ ତାରିଖ ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଉକ୍ତ କାଶ ସିରପ୍‌ ବିଷୟରେ ‘ଡ୍ରଗ୍‌ସ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’କୁ (ଡିସିଜିଆଇ) ସତର୍କ କରାଇଥିଲେ। ‘ଡିସିଜିଆଇ’ ତୁରନ୍ତ ହରିୟାଣା ରେଗୁଲେଟରି ଅଥରିଟିଙ୍କୁ ଜଣାଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇ ଦେଇଛି ଯେ, ଏହି ସିରପ୍‌ ସବୁ ପଶ୍ଚିମ ଆଫ୍ରିକୀୟ ଦେଶ ବାହାରକୁ ଯୋଗାଇ ଦିଆଯାଇଛି। ଏଗୁଡ଼ିକ ସାରା ବିଶ୍ବକୁ ରପ୍ତାନି ହୋଇଥିବା ସମ୍ଭାବନା ଥାଇପାରେ। ଗତକାଲି ‘ହୁ’ ମୁଖ୍ୟ ଟେଡ୍‌ରସ୍‌ ଅଧାନୋମ୍‌ ଗେବ୍ରେୟେସସ୍‌ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ୪ଟିଯାକ କାଶ ସିରପ୍‌ ବୃକ୍କ (କିଡ୍‌ନି) ନଷ୍ଟ ଓ ୬୬ଜଣ ପିଲାଙ୍କ ମୃତ୍ୟୁର କାରଣ ହୋଇଥାଇ ପାରେ। ଏହି ୪ଟି କାଶ ସିରପ୍‌ ହେଉଛି, ପ୍ରୋମିଥାଜିନ୍‌ ଓରାଲ୍‌ ସଲ୍ୟୁସନ୍‌, କୋଫେକ୍ସ୍‌ମେଲିନ୍‌ ବେବି କଫ୍‌ ସିରପ୍‌, ମାକୋଫ୍ ବେବି କଫ୍‌ ସିରପ୍‌ ଏବଂ ମେଗ୍ରିପ୍‌ ଏନ୍‌. କୋଲ୍ଡ୍‌ ସିରପ୍‌। ଉକ୍ତ କାଶ ସିରପ୍‌ ସବୁ ହରିୟାଣାର ସୋନେପତ୍‌ସ୍ଥିତ ‘ମେସର୍ସ ମେଡେନ୍‌ ଫାର୍ମାସ୍ୟୁଟିକାଲ୍‌ ଲିମିଟେଡ୍‌ରେ ନିର୍ମିତ। ଏବେ ଉପଲବ୍ଧ ସୂଚନାରୁ ଜଣାପଡୁଛି କି, କମ୍ପାନି ଏହି ଉତ୍ପାଦ ସବୁକୁ କେବଳ ଗାମ୍ବିଆକୁ ରପ୍ତାନି କରିଛି। ଅଭିଯୋଗ ସଂକ୍ରାନ୍ତରେ କମ୍ପାନି ଏଯାବତ୍‌ କୌଣସି ବିବୃତି ଦେଇନାହିଁ।

Breaking News