ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୁର୍କୀ ସୀମାନ୍ତ ନିକଟ ଉତ୍ତରପଶ୍ଚିମ ଇରାନ୍ରେ ୫.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ ୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ ରୁ ଅଧିକ ଆହତ ହୋଇଛନ୍ତି | ଇରାନୀୟ ଗଣମାଧ୍ୟମ କହିଛି, ଇରାନ୍ର ପଶ୍ଚିମାଞ୍ଚଳ ଅନ୍ତର୍ଗତ ଆଜର୍ବୈଜାନ୍ ପ୍ରଦେଶର ଖୋୟ ନଗରୀରେ ଉକ୍ତ ଭୂମିକମ୍ପ ସଂଘଠିତ ହୋଇଛି। ଭୂମିକମ୍ପର ଉତ୍ପତ୍ତିସ୍ଥଳର ନିକଟସ୍ଥ ଖୋୟ ନଗରୀର ବିଶ୍ବବିଦ୍ୟାଳୟ ଜରୁରୀକାଳୀନ ସେବାର ମୁଖ୍ୟଙ୍କ ବିବୃତିରୁ ସୂଚନା ସଂଗ୍ରହ କରି ରାଷ୍ଟ୍ରାୟତ ନିଉଜ୍ ଏଜେନ୍ସି ‘ଇର୍ନା’ ମୃତ୍ୟୁସଂଖ୍ୟା ବିଷୟରେ ରିପୋର୍ଟ କରିଛି। ରାଷ୍ଟ୍ରାୟତ ଟେଲିଭିଜନ୍କୁ ଜରୁରୀକାଳୀନ ସେବାର ଜଣେ ଅଧିକାରୀ କହିଛନ୍ତି ଯେ, ଭୂମିକମ୍ପଦ୍ବାରା ପ୍ରଭାବିତ ହୋଇଥିବା କେତେକ ଅଞ୍ଚଳରେ ତୁଷାରପାତ ହେବା ସହିତ ତାପମାତ୍ରା ଅତି ହେମାଳିଆ ହୋଇଯାଇଛି। କେତେକ ସ୍ଥାନରେ ବିଜୁଳି କାଟ ହୋଇଥିବା ରିପୋର୍ଟ ମଧ୍ୟ ମିଳିଛି। ଆଗରୁ ଇରାନୀୟ ଜରୁରୀକାଳୀନ ସେବାର ମୁଖପାତ୍ର ମୋଜତାବା ଖାଲେଦି ‘ୱାଇଜେସି ନିଉଜ୍ ଏଜେନ୍ସି’କୁ କହିଛନ୍ତି, ଖୋୟ ନଗରୀରେ ବହୁସଂଖ୍ୟକ ଘରବାଡ଼ି ଓ ଅଟ୍ଟାଳିକା ସଂଖ୍ୟା ଧ୍ବଂସ ହୋଇଯାଇଛି। ରିକ୍ଟର୍ ସ୍କେଲ୍ରେ ୫.୯ ତୀବ୍ରତାସମ୍ପନ୍ନ ଏହି ଭୂମିକମ୍ପ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା କଥା ‘ୟୁରୋପିୟାନ୍ ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର୍’ ରିପୋର୍ଟ କରିଛି। ଏହି ଭୂମିକମ୍ପକୁ ଅଗଭୀର ଏବଂ ମଧ୍ୟମ ଧରଣର ଭୂମିକମ୍ପ ବୋଲି କୁହାଯାଉଛି। ଭୂମିକମ୍ପ ପରେ ପରେ ପୁଣି ଚାରିଥର କମ୍ପନ ଅନୁଭୂତ ହୋଇଥିଲା। ‘ୟୁଏସ୍ ଜିଓଲୋଜିକାଲ୍ ସର୍ଭେ’ ସତର୍କ କରାଇ କହିଛି ଯେ, ମୃତ୍ୟୁସଂଖ୍ୟା ଅଧିକ ଓ କ୍ଷୟକ୍ଷତି ବ୍ୟାପକ ହୋଇଥାଇପାରେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..