Report Card Odisha

| Daily Odia News

ବିଜେପି ,କଂଗ୍ରେସ କୁ ତାଗିଦ, ଜାତି,ସମ୍ପ୍ରଦାୟ ପ୍ରଚାର ବନ୍ଦ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ୫ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଯିବା ପରେ ନିର୍ବାଚନ କମିଶନ ବିବାଦୀୟ ଭାଷଣକୁ ନେଇ ଆଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଜେପି ଓ କଂଗ୍ରେସକୁ ନିର୍ବାଚନ କମିଶନ କଡ଼ା ଚେନାବନୀ ଦେଇଛନ୍ତି। ଦୁଇ ଦଳର ଷ୍ଟାର ପ୍ରଚାରକମାନେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିବାରୁ ନିର୍ବାଚନ କମିଶନ ସେମାନଙ୍କୁ ତାଗିଦ କରିଛନ୍ତି। ବିଜେପି ରାହୁଲ ଗାନ୍ଧିଙ୍କ ବିରୋଧରେ ଓ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକାଧିକ ଅଭିଯୋଗ କମିଶନରେ କରିଥିଲା। ଏହାପରେ କମିଶନଙ୍କ ନୋଟିସ ସାମ୍ନାକୁ ଆସିଛି। ଏହାପରେ ନିର୍ବାଚନ କମିଶନ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ କରି ସେମାନଙ୍କର ଷ୍ଟାର ପ୍ରଚାରକମାନଙ୍କୁ ସୀମା ଭିତରେ ରହିବାକୁ କହିଛନ୍ତି। ଦେଶର ସାମଜିକ ଓ ସାଂସ୍କୃତି ପରମ୍ପରା ନିର୍ବାଚନ ଯୋଗୁ ଆଘାତ ପ୍ରାପ୍ତ ହେବା କଥା ନୁହେଁ ବୋଲି କମିଶନ ମତ ରଖିଛନ୍ତି। ପ୍ରଚାର ବେଳେ ଷ୍ଟାର ପ୍ରଚାରକମାନେ ସତର୍କତା ଅବଲମ୍ବନ କରନ୍ତୁ ଓ ଯେମିତି ମର୍ଯ୍ୟାଦା ମଧ୍ୟରେ ରହିବେ, ସେଥିପାଇଁ ଦୁଇ ଦଳର ମୁଖିଆ ସେମାନଙ୍କ ଷ୍ଟାର ପ୍ରଚାରକମାନଙ୍କୁ ଔପଚାରିକ ଭାବେ ଚିଠି ଲେଖନ୍ତୁ ବୋଲି ମଧ୍ୟ କମିଶନ ପରାମର୍ଶ ଦେଇଛନ୍ତି। କମିଶନ କହିଛନ୍ତି, ନିର୍ବାଚନ ଏମିତ ଏକ ପ୍ରକ୍ରିୟା ଯେଉଁଠାରେ ରାଜନୀତିକ ଦଳଗୁଡ଼ିକ କେବଳ ଜିତିବା ପାଇଁ ଲଢ଼ନ୍ତି ନାହିଁ। ନିଜର ବିଚାରଧାରାକୁ ଭୋଟରମାନଙ୍କ ଆଗରେ ଉପସ୍ଥାପନ କରିନ୍ତି ଓ ଆଶା ସୃଷ୍ଟି କରିବାର ଅଭିଜ୍ଞତା ହାସଲ କରନ୍ତି। ଦ୍ୱିତୀୟ କଥାର ହେଲା, କେହି ବି ନିର୍ବାଚନକୁ ନେଇ ଭାରତୀୟ ଭୋଟରଙ୍କ ଐତିହ୍ୟ ଗୁଣବତ୍ତାପୂର୍ଣ୍ଣ ଅଭିଜ୍ଞତା ଓ ଆମ ଗଣତନ୍ତ୍ରକୁ ଦୁର୍ବଳ କରିପାରିବେ ନାହିଁ। କେହି ବି ଧାର୍ମିକ ଓ ସାଂପ୍ରଦାୟିକ ବୟାନ ଦେଇ ପାରିବେ ନାହିଁ। ନିର୍ବାଚନ କମିଶନ ବିଜେପିକୁ ସମାଜରେ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଠାରୁ ଦୂରରେ ରହିବାକୁ କହିଛନ୍ତି। ସେହିପରି ଅଗ୍ନିବୀର ଯୋଜନା ଉପରେ କମିଶନ କଂଗ୍ରେସର ଷ୍ଟାର ପ୍ରଚାରକ ଓ ପ୍ରାର୍ଥୀମାନଙ୍କୁ ସୁରକ୍ଷାବଳକୁ ନେଇ ରାଜନୀତି ନ କରିବାକୁ କହିଛନ୍ତି। ସେନା ବାହିନୀର ଆର୍ଥିକ ଓ ସାମାଜିକ ସ୍ଥିତିକୁ ନେଇ ମଧ୍ୟ ବୟାନବାଜୀ ନ କରିବାକୁ କହିଛନ୍ତି। କମିଶନ କହିଛନ୍ତି, “ଭାରତର ସମ୍ବିଧାନକୁ ବଦଳାଇ ଦିଆଯିବ ବୋଲି ଗୋଟିଏ ଭ୍ରାନ୍ତ ଚିନ୍ତାଧାରା ସୃଷ୍ଟି କରିବା ଭଳି ବୟାନ ଠାରୁ ଷ୍ଟାର ପ୍ରଚାରକମାନେ ଯେମିତି ଦୂରେଇ ରହିବେ, ତାକୁ କଂଗ୍ରେସ ନିଶ୍ଚିତ କରୁ। କୌଣସି ଦଳ କିମ୍ବା ପ୍ରାର୍ଥୀ ଏମିତି କିଛି କାର୍ଯ୍ୟକ୍ରମ କରିପାରିବେ ନାହିଁ, ଯାହା ବିଭିନ୍ନ ଜାତି, ସଂପ୍ରଦାୟ, ଧାର୍ମିକ ଓ ଲିଙ୍ଗଗତ ଲୋକଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବ।” ବିଜେପି ଓ କଂଗ୍ରେସ ପରସ୍ପର ବିରୋଧରେ ଆଣିଥିବା ଅଭିଯୋଗ ଉପରେ ରଖିଥିବା ମତକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ ନିର୍ବାଚନ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି।

Breaking News