Report Card Odisha

| Daily Odia News

ଇଡି-ମମତା ମୁହାଁମୁହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗରେ ଇଡି ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପଶ୍ଚିମବଙ୍ଗ ଶାସକ ଦଳ ଟିଏମସିର ରାଜନୈତିକ ପରାମର୍ଶଦାତା ଏବଂ ଆଇଟି ସେଲ୍ ଦାୟିତ୍ୱରେ ଥିବା (ଭାରତୀୟ ରାଜନୈତିକ କାର୍ଯ୍ୟ କମିଟି) ଆଇ-ପିଏସି କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ଚଢ଼ାଉ କରିଥିଲା । ଏହି ସମୟରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇ-ପିଏସିର ମୁଖ୍ୟ ପ୍ରତୀକ ଜୈନଙ୍କ ଘରକୁ ଦୌଡ଼ି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାସହ ଘରର ପଛପଟ ଦ୍ୱାରରୁ ଏକ ସବୁଜ ରଙ୍ଗର ଦସ୍ତାବିଜ ଧରି ଫେରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ଗଣମାଧ୍ୟମର ଉତ୍ତର ରଖି ମମତା କହିଥିଲେ ଯେ ଅଧିକାରୀମାନେ ତାଙ୍କ ଦଳ ତୃଣମୂଳ କଂଗ୍ରେସର ହାର୍ଡ ଡିସ୍କ ସହିତ ଆଭ୍ୟନ୍ତରୀଣ ଦସ୍ତାବିଜ ଏବଂ ସମ୍ବେଦନଶୀଳ ତଥ୍ୟ ଜବତ କରିବାକୁ ଚେଷ୍ଟା କରିଥିଲେ ।ଜୈନଙ୍କ ବାସଭବନ ଏବଂ କାର୍ଯ୍ୟାଳୟକୁ ମମତାଙ୍କ ଗସ୍ତର ଭିଡିଓରେ ସ୍ପଷ୍ଟ ଭାବରେ ଜଣାପଡୁଥିଲା ଯେ, ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚକମା ଦେଇ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ଏବଂ ଫେରିବା ସମୟରେ ତାଙ୍କ ହାତରେ କିଛି ଦସ୍ତାବିଜ ଓ ଲାପଟପ ରହିଥିଲା । ଯାହାକୁ ନେଇ ମମତା ବାନାର୍ଜୀ କହିଛନ୍ତି ଯେ ଜୈନଙ୍କ ବାସଭବନରେ ଚଢାଉ, ରାଜନୈତିକ ଭାବରେ ପ୍ରେରିତ ଏବଂ ଅସାମ୍ବିଧାନିକ । ସେମାନେ ଆମ ଆଇଟି ମୁଖ୍ୟଙ୍କ ବାସଭବନରେ ଚଢାଉ କରିଛନ୍ତି । ସେମାନେ ମୋ ଦଳର ଦସ୍ତାବିଜ ଏବଂ ହାର୍ଡ ଡିସ୍କ ଜବତ କରୁଥିଲେ । ଯେଉଁଥିରେ ବିଧାନସଭା ନିର୍ବାଚନ ପାଇଁ ଆମର ପ୍ରାର୍ଥୀଙ୍କ ବିଷୟରେ ବିବରଣୀ ଅଛି । ମୁଁ ସେଗୁଡ଼ିକୁ ଆଣିଛି ବୋଲି ମମତା କହିଛନ୍ତି । ଏହାସହ ବିଜେପିକୁ ନିଶାଣ କରି କହିଛନ୍ତି, ମୋର ସମସ୍ତ ଦଳୀୟ ଦସ୍ତାବିଜ ହଟାଇ ନେବା କ’ଣ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଇଡିର କର୍ତ୍ତବ୍ୟ ? ଯଦି ମୁଁ ବିଜେପି ଦଳୀୟ କାର୍ଯ୍ୟାଳୟକୁ ଯାଏ, ତେବେ ଫଳାଫଳ କ’ଣ ହେବ ? ଏସଏଇଆର ରେ ୫ଲକ୍ଷ ଭୋଟରଙ୍କ ବାଦ ଦିଆଯାଇଛି ବୋଲି ମମତା ବାନାର୍ଜୀ କହିଛନ୍ତି । ପରେ ଇଡି ଏକ ବିବୃତ୍ତି ଜାରି କରି କହିଛି ଯେ ଏହା ଅବୈଧ କୋଇଲା ଚୋରା ଚାଲାଣର ତଦନ୍ତର ଏକ ଅଂଶ । ଏହି ଚଢାଉ ପ୍ରମାଣ ଆଧାରରେ କରାଯାଉଛି । କୌଣସି ରାଜନୈତିକ ପ୍ରତିଷ୍ଠାନକୁ ନିଶାଣ କରାଯାଇ ନାହିଁ । ପଶ୍ଚିମବଙ୍ଗର ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ସୂଚନା ରହିଛି ।

Breaking News