ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାମ୍ମୁ-କାଶ୍ମୀରର କୁଲଗାଓଁ ଜିଲାର ଦୁଇଟି ସ୍ଥାନରେ ନିରାପତ୍ତାରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇଜଣ ଯବାନ ସହିଦ ହୋଇଥିବାବେଳେ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। କୁଲଗାଓଁ ଜିଲ୍ଲାର ମୋଦେରଗାମ୍ ଗ୍ରାମରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସିଆରପିଏଫ୍, ସେନା ଓ ଜାମ୍ମୁ-କାଶ୍ମୀର ପୋଲିସ କୁ ନେଇ ଗଠିତ ମିଳିତ ବାହିନୀ ଉକ୍ତ ଗ୍ରାମକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିଚାଳନା କରାଯାଇଥିବାବେଳେ ଯବାନଙ୍କ ପକ୍ଷରୁ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଗୁରୁତର ଆହତ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କୁଲଗାଓଁ ପୋଲିସର ଫ୍ରିସାଲ ଅଞ୍ଚଳରେ ନିରାପତ୍ତାରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏଠାରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀଙ୍କ ମୃତଦେହଗୁଡିକୁ ଡ୍ରୋନ ସାହାଯ୍ୟରେ ଠାବ କରାଯାଇଥିଲେ ସୁଦ୍ଧା ସେଗୁଡିକୁ ଉଦ୍ଧାର କରାଯାଇନାହିଁ। ସମ୍ବାଦ ଲେଖାଯିବା ପର୍ଯ୍ୟନ୍ତ ସେଠାରେ ଏନ୍କାଉଣ୍ଟର ଜାରି ରହିଥିବା ଜଣାପଡିଛି। ଲୋକସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ କାଶ୍ମୀର ଉପତ୍ୟକାରେ ପୁଣି ଆତଙ୍କବାଦୀ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି। ତେବେ ନିରାପତ୍ତାରକ୍ଷୀଙ୍କ ତତ୍ପରତା ଯୋଗୁଁ ଧନଜୀବନର ବିଶେଷ କ୍ଷତି ଘଟିନଥିବା କୁହାଯାଇଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..