ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟରାଜ୍ୟ ମଧ୍ୟରେ କରୋନା ଟିକା ଯୋଗାଣରେ ପାତରଅନ୍ତର ନକରିବା ତଥା ଓଡ଼ିଶାକୁ ପର୍ୟ୍ୟାପ୍ତ କରୋନା ଟିକା ଯୋଗାଇ ଦେବା ଲାଗି କେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ଚିଠି ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଥା ହୋଇ ହସ୍ତକ୍ଷେପ ଲୋଡ଼ିଥିଲେ । ଦର୍ଶାଇଥିଲେ ଯେ ଟୀକା ଯୋଗାଣ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଚିଠି ଯୋଗୁଁ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଓଡ଼ିଶାରେ ଏବେ ଯଥେଷ୍ଟ ଟୀକା ମହଜୁଦ ରହିଛି ଏବଂ ଭବିଷ୍ୟତରେ ଟୀକା ଅଭାବ ରହିବ ନାହିଁ ଶ୍ରୀ ହର୍ଷବର୍ଦ୍ଧନ ଭରସା ଦେଇଥିବା ଜଣାପଡ଼ିଛି। ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସଚିବ ରାଜୀବ ଭୂଷଣ ଆଜି ସମସ୍ତ ତଥ୍ୟ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠିର ପ୍ରତିଉତ୍ତର ଦେଇଛନ୍ତି। ଶ୍ରୀ ଭୂଷଣ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪,୪୬,୭୬୦ ଡୋଜ ଟୀକା ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୨୧,୬୭,୯୫୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ୟ୍ୟନ୍ତ ୨୨,୯୭,୪୩୧ ଡୋଜ ଟୀକା ଦିଆଯିବା ପରେ ରାଜ୍ୟ ସରକାରଙ୍କ ନିକଟରେ ବଳକା ୧୧,୪୯,୩୨୯ ଡୋଜ ଟୀକା ମହଜୁଦ ରହିଛି। ଓଡ଼ିଶା ଲାଗି ଅତିରିକ୍ତ ୫,୪୮,୨୫୦ ଡୋଜ ଟିକା ମଞ୍ଜୁର ହୋଇଛି ଏବଂ ଏହା ମାର୍ଚ୍ଚ ୨୮ରେ ପହଞ୍ଚିବ। ରାଜ୍ୟରେ ଚାଲୁ ଟିକାକରଣ ପ୍ରସଙ୍ଗରେ ଶ୍ରୀ ଭୂଷଣ କହିଛନ୍ତି ଯେ ଓଡ଼ିଶା ସମେତ ପ୍ରତ୍ୟେକ ରାଜ୍ୟର ଟୀକାକରଣ ପ୍ରକ୍ରିୟାକୁ କେନ୍ଦ୍ର ସରକାର ପ୍ରତିଦିନ ସମୀକ୍ଷା କରି ଟୀକା ଯୋଗାଣ ସ୍ଥିର କରୁଛନ୍ତି। ଗତ ତିନି ଦିନ ମଧ୍ୟରେ ରାଜ୍ୟରେ ଦୈନିକ ହାରାହାରି ୬୯,୦୭୬ ଜଣ ହିତାଧିକାରୀ ଏପରିକି ସମୁଦାୟ ୨,୦୭,୨୨୯ ଜଣ ହିତାଧିକାରୀଙ୍କ ଟୀକାକରଣ ହୋଇଛି। ଏସବୁ ତଥ୍ୟକୁ ଦେଖିଲେ ଟୀକା ଯୋଗାଣ ପାତରଅନ୍ତର ନେଇ ଓଡ଼ିଶା ସରକାରଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ। ଟୀକାକରଣ ପ୍ରକ୍ରିୟାର ଗତି ଓ ରାଜ୍ୟରେ ଉପଲବ୍ଧ ଟୀକା ସମୀକ୍ଷା ପରେ କେନ୍ଦ୍ର ସରକାର ଆବଶ୍ୟକ ଟୀକା ଓଡ଼ିଶାକୁ ଯୋଗାଇ ଦେବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ଭୂଷଣ ଭରସା ଦେଇଛନ୍ତି।
More Stories
ନିର୍ବାଚନ ନିୟମରେ ବଡ଼ ପରିବର୍ତ୍ତନ,ଭିଡିଓ ରେକର୍ଡିଂ ଦେଖାଇବେନି…..
ଭୂକମ୍ପରେ ଥରିଲା ନେପାଳ…..
କେଜ୍ରିୱାଲ୍ଙ୍କ ବିରୋଧରେ ମାମଲା ଚଳାଇବାକୁ ଇଡିକୁ ଅନୁମତି ଦେଲେ ଉପ ରାଜ୍ୟପାଳ….