ରିପୋର୍ଟ କାର୍ଡ / କଟକ
ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏସଡିଆଇପିଆରଓ) ପଦର ଲିଖିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି। ୧୦୦ ମାର୍କ ବିଶିଷ୍ଟ ପରୀକ୍ଷାରେ ୯୪ ମାର୍କର ପ୍ରଶ୍ନ ଆସିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶା ସୂଚନା ସେବା ଅଧୀନରେ ୩୯ ପଦ ପୂରଣ କରାଯିବ। ଏଥିପାଇଁ ଓପିଏସସି ନିଯୁକ୍ତି ପରୀକ୍ଷା ଗତ ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ଦୁଇଟି ଲେଖାଏଁ ସିଟିଂରେ ଅନୁଷ୍ଠିତ ହୋଇଥିଲା। କଟକର ଦୁଇଟି ପରୀକ୍ଷା କେନ୍ଦ୍ରରେ ରାଜ୍ୟର ୧୦୧୭ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ପ୍ରତିଦିନ ପୂବାହ୍ଣ ୯.୩୦ ମିନିଟରୁ ୧୧ ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୧ଟା ୩୦ ମିନିଟ୍ ରୁ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିଲା। ରବିବାର ଜେନେରାଲ ଆୱାରନେସ୍ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଷୟରେ ପରୀକ୍ଷା ହୋଇଥିବାବେଳେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା। ଏହି ବିଷୟରେ ୧୦୦ ମାର୍କର ପ୍ରଶ୍ନ ବଦଳରେ ୯୪ ମାର୍କର ପ୍ରଶ୍ନ ଥିଲା। ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ପରୀକ୍ଷକଙ୍କୁ ଜଣାଇଥିଲେ। ସେମାନେ ଏଭଳି ତ୍ରୁଟି ବିଷୟରେ ଓପିଏସ୍ସି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ରାଜ୍ୟରେ ସରକାରୀ ନିଯୁକ୍ତି ପରୀକ୍ଷା କ୍ଷେତ୍ରରେ ଓପିଏସ୍ସିର ଏଭଳି ତ୍ରୁଟିକୁ ନେଇ ଶିକ୍ଷାବିତ୍ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏହା ମୁଦ୍ରଣଜନିତ ତ୍ରୁଟି ହୋଇଥିବାବେଳେ ଏଥିରେ ପରୀକ୍ଷାର୍ଥୀଙ୍କୁ କୌଣସି ଅସୁବିଧା ହେବନାହିଁ ବୋଲି ଓପିଏସ୍ସି କର୍ତ୍ତୃପକ୍ଷ କହିଥିବା ଜଣାପଡ଼ିଛି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..