ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ଶେଷ ହେବାପରେ ପୁଣି ଉଠିଲା ଇଭିଏମ୍ ପ୍ରସଙ୍ଗ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି ଇଭିଏମକୁ ନେଇ ପୁଣି ଉଠାଇଛନ୍ତି ପ୍ରଶ୍ନ। ସେ ଏହାକୁ ‘ବ୍ଲାକ୍ ବକ୍ସ’ ବୋଲି କହିଛନ୍ତି। ରବିବାର ରାହୁଲ ଗାନ୍ଧି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ସ୍ପେଶ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ଏକ୍ସ ପୋଷ୍ଟକୁ ରି-ପୋଷ୍ଟ କରିବା ସହ ଏକ ସ୍ୱତନ୍ତ୍ର ଖବର କାଗଜରେ ଛପି ଥିବା ଖବରର ଏକ ଖଣ୍ଡକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଭାରତରେ ଇଭିଏମ୍ ହେଉଛି ଏକ ବ୍ଲାକ୍ ବକ୍ସ। ଏହାକୁ ଯାଞ୍ଚ କରିବାକୁ କାହାର ବି ଅନୁମତି ନାହିଁ।’ ସେ ଆହୁରି କହିଛନ୍ତି, ‘ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଚିନ୍ତା ବଢ଼ୁଛି। ଯେତେବେଳେ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ସେତେବେଳେ ଗଣତନ୍ତ୍ର ଦେଖାଣିଆ ପାଲଟିଯାଏ ଏବଂ ଠକାମିର ସମ୍ଭାବନା ବଢ଼ିଯାଏ।’ ରାହୁଲ ଗାନ୍ଧି ନିଜର ଏହି ପୋଷ୍ଟରେ ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ସହ ଜଡିତ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାରେ ଇଭିଏମ୍କୁ ନେଇ ପ୍ରଶ୍ନ ଉଠିଛି। ଶିବସେନା ସିନ୍ଧେ ଗୋଷ୍ଠୀର ସାଂସଦ ରବିନ୍ଦ୍ର ବାୟକରଙ୍କ ଶାଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ମୁମ୍ବାଇର ଗୋରେଗାଓଁ ନିର୍ବାଚନ କେନ୍ଦ୍ର ଭିତରେ ବ୍ୟାନ୍ ସତ୍ତ୍ୱେ ବି ମଙ୍ଗେଶ ପାଣ୍ଡିଲକର ମୋବାଇଲ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉଲ୍ଲେଖ ଯୋଗ୍ୟ- ଏଲନ୍ ମସ୍କ ଶନିବାର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଇଭିଏମ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ‘ଇଭିଏମକୁ ରଦ୍ଦ କରିଦେବା ଉଚିତ୍। ଏହାକୁ ସାଧାରଣ ଲୋକ କିମ୍ବା ଏଆଇ ଦ୍ୱାରା ହ୍ୟାକ୍ କରିବା ଅଶଙ୍କା ରହିଛି।’ ଏଲନ ମସ୍କଙ୍କ ଏହି ବୟାନ ପରେ ରାହୁଲ ଗାନ୍ଧି ମଧ୍ୟ ଏହି କଥା ଆଳରେ ଇଭିଏମକୁ ନେଇ ପ୍ରଶ୍ନ ଉଠାଇଛନ୍ତି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……