ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୯୯୫ ‘ଡବଲ୍ ମର୍ଡର୍’ ମାମଲାରେ ଆର୍ଜେଡି ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍ କୋର୍ଟ । ସୂଚନାଯୋଗ୍ୟ, ୧୯୯୫ ତାଙ୍କ ବିରୋଧରେ ଭୋଟ୍ ଦେଇଥିବା ଅଭିଯୋଗ କରି ପ୍ରଭୁନାଥ ସିଂହ ୨ଜଣ ଲୋକଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଗଷ୍ଟ ୧୮ ତାରିଖ ଦିନ ବିଚାରପତି ସଞ୍ଜୟ କିଷନ୍ କୌଲ୍, ଅଭୟ ଏସ୍. ଓକା ଏବଂ ବିକ୍ରମ ନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ଆଇପିସି’ ଧାରା ୩୦୨ ଏବଂ ୩୦୭ ଅନୁଯାୟୀ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲା ଅପରାଧିକ ବିଚାର ବ୍ୟବସ୍ଥାରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଧ୍ୟାୟ ବୋଲି କହି ଖଣ୍ଡପୀଠ ତାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଭୁନାଥ ସିଂହ ୧୨ଶ, ୧୩ଶ ଓ ୧୪ଶ ଲୋକସଭାରେ ସଦସ୍ୟ ଥିଲେ। ୧୯୮୫ରୁ ୧୯୯୫ ପର୍ଯ୍ୟନ୍ତ ସେ ମାସ୍ରଖ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରିଥିଲେ। ତା’ପରେ ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ସେ ମହାରାଜଗଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରିଥିଲେ। ୨୦୧୩ରେ ଉପନିର୍ବାଚନରେ ବିଜୟୀ ହୋଇ ପ୍ରଭୁନାଥ ସିଂହ ୨୦୧୪ ପର୍ଯ୍ୟନ୍ତ ଲୋକସଭାର ସଦସ୍ୟ ଥିଲେ। ୧୯୯୫ ମାର୍ଚରେ ବିହାରର ସରଣ ଜିଲ୍ଲା ଅନ୍ତର୍ଗତ ଚାପ୍ରାରେ ବିଧାନସଭା ପାଇଁ ଭୋଟ୍ ଗ୍ରହଣ କରାଯାଉଥିବା ବେଳେ ୨ଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..