ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାନୁଆରୀରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଲୋକସଭା ସାଂସଦ ଅଶୋକ ତନୱାର ପୁଣିଥରେ କଂଗ୍ରେସକୁ ଫେରିଛନ୍ତି। ଆଜି ହରିୟାଣାର ମହେନ୍ଦ୍ରଗଡରେ ରାହୁଲ ଗାନ୍ଧୀଙ୍କ ରାଲିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ସକାଳେ ବିଜେପି ପାଇଁ ଭୋଟ୍ ମାଗିବାର କିଛି ଘଣ୍ଟା ପରେ କଂଗ୍ରେସରେ ଯୋଗ ଦେଇଛନ୍ତି ତନୱାର। ସିର୍ସାର ପୂର୍ବତନ କଂଗ୍ରେସ ସାଂସଦ ଥିଲେ ତନୱାର। ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ହରିୟାଣା କଂଗ୍ରେସ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ଛାତ୍ର ଜୀବନରୁ ମଧ୍ୟ କଂଗ୍ରେସର ଯୁବନେତା ଭାବେ ତନୱାରଙ୍କ ଦବଦବା ଥିଲା। କିନ୍ତୁ ୨୦୨୧ ରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଏହାର ପର ବର୍ଷ AAPରେ ସାମିଲ ହୋଇଥିଲେ। କିନ୍ତୁ ଆପ୍ କଂଗ୍ରେସ ସହ ମେଣ୍ଟ କରିବାରୁ ସେଠାରୁ ଇସ୍ତଫା ଦେଇଥିଲେ। ଆପ୍ ଛାଡ଼ିବା ପରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ତନୱାର। ବିଜେପି ମଧ୍ୟ ତାଙ୍କୁ ସିର୍ସା ଆସନରୁ ଟିକେଟ ଦେଇଥିଲା। କିନ୍ତୁ ସେ ଲୋକସଭା ନିର୍ବାଚନରେ କଗ୍ରେସ ପ୍ରାର୍ଥୀ କୁମାରୀ ସେଲଜାଙ୍କଠାରୁ ପରାଜିତ ହୋଇଥିଲେ। ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଚାଲି ଥିବାବେଳେ ସେ ଆଜି ହଠାତ୍ ଦଳରେ ସାମିଲ ହୋଇଛନ୍ତି। ସବୁଠାରୁ ବଡ଼କଥା କି ଆଜି ସକାଳେ ତନୱାର ବିଜେପି ପାଇଁ ଭୋଟ୍ ମାଗିଥିଲେ। ତାଙ୍କର ଏକ ସୋଶାଲ ମିଡିଆ ପୋଷ୍ଟରେ ସେ ହରିୟାଣାର ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଜନତାଙ୍କୁ ନିବେଦନ କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ କଂଗ୍ରେସରେ ସାମିଲ ହେବାରୁ ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..