ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବତନ ‘ଏନ୍ସିବି’ ଅଫିସର୍ ସମୀର ୱାଂଖେଡ଼େଙ୍କୁ କ୍ଲିନ୍-ଚିଟ୍ ମିଳିଛି | ଦୀର୍ଘ ଏକ ବର୍ଷ ଧରି ଚାଲିଥିବା ଜାତିଗତ ପ୍ରମାଣପତ୍ର ମାମଲାରେ ସମୀର ୱାଂଖେଡ଼େଙ୍କୁ କ୍ଲିନ୍-ଚିଟ୍ ଦେଇ ‘କାଷ୍ଟ୍ ସ୍କୃଟିନି କମିଟି’ | ଏଥିସହ ୱାଂଖେଡ଼େଙ୍କ ପାଖରେ ଥିବା ଜାତିଗତ ପ୍ରମାଣପତ୍ରକୁ ଉକ୍ତ କମିଟି କାଏମ ରଖିଥିବା ଜଣାପଡିଛି । ଉଭୟ ପକ୍ଷ ଦାଖଲ କରିଥିବା କାଗଜପତ୍ର ଗ୍ରହଣ କରି ତର୍ଜମା କରିବା ପରେ ୯୧ପୃଷ୍ଠା ସମ୍ବଳିତ ଆଦେଶନାମାରେ କମିଟି କହିଛି ଯେ, ୱାଂଖେଡ଼େ ଜନ୍ମଗତ ଭାବେ ମୁସଲ୍ମାନ୍ ନୁହନ୍ତି। ଏହାଛଡ଼ା, ସମୀର ୱାଂଖେଡ଼େ ଏବଂ ତାଙ୍କ ପିତା ଦ୍ୟାନେଶ୍ବର ୱାଂଖେଡ଼େ ହିନ୍ଦୁତ୍ବ ପରିତ୍ୟାଗ କରି ନାହାନ୍ତି କି, ମୁସଲ୍ମାନ ଧର୍ମ ଗ୍ରହଣ କରିନାହାନ୍ତି ବୋଲି କମିଟି କହିଛି। କମିଟି ଆହୁରି ମଧ୍ୟ କହିଛି ଯେ, ସମୀର ୱାଂଖେଡ଼େ ଏବଂ ତାଙ୍କ ବାପା ମାହାର-୩୭ ଅନୁସୂଚିତ ଜାତିର। ଉକ୍ତ ଜାତିକୁ ହିନ୍ଦୁଧର୍ମରେ ସ୍ବୀକୃତି ମିଳିଛି। ସେହିପରି, ସମୀର ୱାଂଖେଡ଼େଙ୍କ ଜାତିଗତ ପ୍ରମାଣପତ୍ର ବିପକ୍ଷରେ ଅଭିଯୋଗ କରିଥିବା ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ‘ଏନ୍ସିପି’ ନେତା ନବାବ ମଲିକ ଏବଂ ମନୋଜ ସଂସାରେ, ଅଶୋକ କାମ୍ବଲେ ଏବଂ ସଞ୍ଜୟ କାମ୍ବଲେଙ୍କ ଭଳି ଅନ୍ୟାନ୍ୟ ଅଭିଯୋଗକାରୀମାନେ ନିଜ ନିଜ ଅଭିଯୋଗ ସପକ୍ଷରେ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନାହାନ୍ତି ବୋଲି କମିଟି କହିଛି। ସୂଚନାଯୋଗ୍ୟ, ଗତବର୍ଷ ୱାଂଖେଡ଼େ ମୁମ୍ବାଇରେ ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ର ମୁଖ୍ୟ ଥିବା ବେଳେ ତାଙ୍କ ଜାତି ଓ ଧର୍ମ ସଂକ୍ରାନ୍ତରେ ବିବାଦ ଆରମ୍ଭ ହୋଇଥିଲା। ଡ୍ରଗ୍ ମାମଲାରେ ‘ଏନ୍ସିବି’ ଟିମ୍ ମହାରାଷ୍ଟ୍ର କ୍ୟାବିନେଟ୍ ମନ୍ତ୍ରୀ ଥିବା ନବାବ ମଲିକଙ୍କ ଜ୍ବାଇଁ ସମୀର୍ ଖାଁଙ୍କୁ ଗିରଫ କରିବା ପରେ ଉକ୍ତ ବିବାଦର ସୂତ୍ରପାତ ହୋଇଥିଲା। ଜ୍ବାଇଁ ଜେଲ୍ ଯିବା ପରେ ନବାବ ମଲ୍ଲିକ ୱାଂଖେଡ଼େ ନାଁରେ ଅଭିଯୋଗ କରିଥିଲେ। ଏହାଛଡ଼ା, ୨୦୨୧ ‘ଡ୍ରଗ୍ କ୍ରୁଜ୍’ ମାମଲାରେ ଅଭିନେତା ଶାହରୁଖ୍ ଖାଁଙ୍କ ପୁଅ ଆର୍ୟନ୍ଙ୍କୁ ଗିରଫ କରାଯିବା ପରେ ୱାଂଖେଡ଼େ ବିରୋଧରେ ଉପରୋକ୍ତ ଅଭିଯୋଗ ତୀବ୍ରତର ହୋଇଥିଲା। କମିଟିର ଆଦେଶନାମା ପ୍ରକାଶ ପାଇବା ପରେ ପରେ ଟୁଇଟ୍ କରି ୱଂଖେଡ଼େ ଲେଖିଛନ୍ତି: ସତ୍ୟମେବ ଜୟତେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..