ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚାଷୀଙ୍କ ସୁବିଧାକୁ ନଜରରେ ରଖି ସରକାର ମଡେଲ ମଣ୍ଡି ପ୍ରତିଷ୍ଠା କରିବେ। ଉପଯୁକ୍ତ ପରିଚାଳନାରେ ସଂଗ୍ରହାଳୟ ରାଜ୍ୟର ଐତିହ୍ୟକୁ ପ୍ରଦର୍ଶନ କରିବ। ରାଜ୍ୟରେ ନର୍ସିଂ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗରୁ ଆସିଥିବା ସାତଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ବୈଠକରୁ ହସ୍ତଗତ ସୂଚନା ଅନୁସାରେ ୨୦୨୩ରେ ରାଜ୍ୟ କ୍ୟାବିନେଟ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦେଶାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ। ସେହିପରି ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଏଥିପାଇଁ କ୍ୟାଡର ନିୟମାବଳୀ ପ୍ରଚଳନ ଲାଗି ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ନିୟମାବଳୀ ସାଧାରଣ ପ୍ରଶାସନ, ଅର୍ଥ ଓ ଆଇନ ବିଭାଗର ଅନୁମୋଦନ ଲାଭ କରିବା ପରେ ଓଡ଼ିଶା ଲୋକସେବା ଆୟୋଗଙ୍କ ସ୍ବୀକୃତି ପାଇଁ ପଠାଯାଇଛି। ବିଭିନ୍ନ ବିଭାଗ ଅଧୀନରେ ଥିବା ଜିଲାସ୍ତରୀୟ ଅମଲା କ୍ୟାଡର କର୍ମଚାରୀଙ୍କ ଦରମାରେ ଥିବା ତାରତମ୍ୟ ଦୂର ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର କମିସନରେଟର ପ୍ରାନ୍ତୀୟ ଚକଲା ଏବଂ ମଣ୍ଡଳ ଅଧୀନରେ ନିଯୁକ୍ତ ଅମଲାଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ ପାଇଁ ଓଡ଼ିଶା ଅମଲା ସେବା (ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର ସଂଗଠନର ଚକଲା ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟ) ନିୟମାବଳୀ ୨୦୨୫ ପ୍ରସ୍ତୁତ କରାଯାଇଛି। ଏଠାରେ କନିଷ୍ଠ ସହାୟକଙ୍କ ମୂଳ ପଦର ୮୦% ସିଧାସଳଖ ନିଯୁକ୍ତି ମାଧ୍ୟମରେ ଏବଂ ୨୦% ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ। ପାଞ୍ଚ ବର୍ଷ ପାଇଁ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ସହିତ ସମ୍ବଲପୁର ସହରକୁ ଚବିଶ ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ୩୮୨, ୪୦, ୨୮, ୫୫୮ ଟଙ୍କା ବ୍ୟୟ ଅଟକଳକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହାଦ୍ବାରା ସମ୍ବଲପୁର, ହୀରାକୁଦ ଏବଂ ବୁର୍ଲା ସହରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ। ମହାରାଷ୍ଟ୍ରସ୍ଥିତ ଇଗଲ ଇନ୍ଫ୍ରା ଇଣ୍ଡିଆ ଲି. ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ। ସହରାଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଓ ଆବଶ୍ୟକ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ୧୧୦ଟି ପୌରାଞ୍ଚଳରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯିବ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନୂଆ ରାସ୍ତା, ଆଲୋକୀକରଣ ଏବଂ ସବୁଜ ପରିବେଶ ସୃଷ୍ଟି କରାଯିବ। ଏଥିପାଇଁ ୩୫୦ କୋଟି ଟଙ୍କା ଅନୁମୋଦନ ହୋଇଥିବାବେଳେ ୧୫୦ କୋଟି ଟଙ୍କା ବିନିଯୋଗ ହୋଇଛି।ସମବାୟ ବିଭାଗ ପକ୍ଷରୁ ରାଜ୍ୟର ୩୦ଟି ଜିଲାରେ ଅନ୍ୟୂନ ଗୋଟିଏ ଲେଖାଏଁ ଆଦର୍ଶ ମଣ୍ଡି ସ୍ଥାପନ କରାଯିବ। କ୍ଷେତ୍ର ପରିଦର୍ଶନ ପରେ ୩୦୦ କୋଟି ଟଙ୍କାରେ ୩୮ଟି ମଣ୍ଡି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା, ପରେ ଆଉ ୬୨ଟି ମଣ୍ଡିକୁ ଆଦର୍ଶ ମଣ୍ଡିରେ ରୂପାନ୍ତରିତ କରାଯିବ। ଏଠାରେ ଗୋଟିଏ ଛାତ ତଳେ ଚାଷୀଙ୍କୁ ସବୁ ସୁବିଧା ମିଳିବ। ଅପରପକ୍ଷେ ରାଜ୍ୟରେ ଏବେ ୭ଟି ନର୍ସିଂ ମହାବିଦ୍ୟାଳୟ ଏବଂ ୨୧ଟି ଏଏନ୍ଏମ୍ପ୍ରଶିକ୍ଷଣ କେନ୍ଦ୍ର ଥିବାବେଳେ ରାଜ୍ୟର ୭ ମେଡିକାଲ କଲେଜ ପରିସରରେ ଗୋଟିଏ ଲେଖାଏଁ ନୂଆ ନର୍ସିଂ ମହାବିଦ୍ୟାଳୟ ଖୋଲିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏଠାରେ ଟ୍ୟୁଟର ପଦ ପୂରଣ ପାଇଁ ସରକାର ନିଯୁକ୍ତି ନିୟମାବଳୀରେ ପରିବର୍ତ୍ତନ କରିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ମରାମତି, ରକ୍ଷଣାବେକ୍ଷଣ ଓ ନବୀକରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ କରିବେ। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି।






More Stories
ଦେଶର ବିକାଶ ପାଇଁ SC/STଙ୍କ ଉତ୍ଥାନ ଜରୁରୀ…..
ଟ୍ରେନର ୬ ବଗି ଲାଇନଚ୍ୟୁତ……
ଆସୁଛି ଆଉ ଦୁଇଟି ଲଘୁଚାପ, ୩୧ରୁ ପ୍ରବଳ ବର୍ଷା ସମ୍ଭାବନା……