Report Card Odisha

| Daily Odia News

ପାରାଦୀପରେ ହେବ ସାର କାରଖାନା, ସିଙ୍ଗଲ ୱିଣ୍ଡୋରେ ୧୨ ପ୍ରକଳ୍ପ ମଞ୍ଜୁର…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ପାରାଦୀପରେ ଉତ୍କଳ ଫସଫେଟ୍‌ସ ଏକ ସାର କାରଖାନା ସ୍ଥାପନ କରିବ। କଂପାନି ସେଥିରେ ୬୨.୦୭ କୋଟି ଟଙ୍କା ନିବେଶ କରିବ। ଏଥି ସହିତ ଝାରସୁଗୁଡ଼ାରେ ମେ’ ଫେୟାର ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟସ୍‌ ଏକ ହୋଟେଲ୍‌ ନିର୍ମାଣ କରିବାରେ ୭୩ କୋଟି ଟଙ୍କା ବିନିଯୋଗ କରିବ। ଯାଜପୁରର କଳିଙ୍ଗନଗରରେ ନିଉ ଲକ୍ଷ୍ମୀ ଷ୍ଟିଲ୍ ଆଣ୍ଡ୍‌ ପାୱାର ପ୍ରାଇଭେଟ୍ ଲିମିଟେଡ୍‌ ୫୪୭ କୋଟି ଟଙ୍କା ବିନିଯୋଗରେ ଏକ ୦.୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ରୋଲିଂ ଉତ୍ପାଦ କାରଖାନା ସ୍ଥାପନ କରିବ। ଏହି ପ୍ରକଳ୍ପଗୁଡ଼ିକ ସମେତ ୨,୭୯୪.୪୭ କୋଟି ଟଙ୍କାର ୧୨ଟି ନୂଆ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୪,୭୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜିର ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ସମ୍ବଲପୁର, ଜଗତସିଂହପୁର, ପୁରୀ, ଝାରସୁଗୁଡ଼ା ଓ ଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଇସ୍ପାତ, ପର୍ଯ୍ୟଟନ, ପ୍ୟାକେଜିଂ, ଖାଦ୍ୟ ଓ ପାନୀୟ, ସାର, ଜେମ୍‌ଷ୍ଟୋନ୍ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ। ଆଜିର ବୈଠକରେ ମଞ୍ଜୁର ହୋଇଥିବା ସବୁଠୁ ବଡ଼ ପ୍ରକଳ୍ପରେ ୮୩୪ କୋଟି ଟଙ୍କା ବିନିଯୋଗ ହେବ। ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସମ୍ବଲପୁରର ରେଙ୍ଗାଲିରେ ଏକ ଆଲୁମିନିୟମ୍ ବ୍ୟାଟେରି ଫଏଲ୍‌ କାରଖାନା ସ୍ଥାପନ କରିବ। ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ୫୧୦.୮୦ କୋଟି ଟଙ୍କା ବିନିଯୋଗରେ ଏକ ସିଲିକନ କାର୍ବାଇଡ୍‌ ଡିଭାଇସ୍‌ ଓ ମଡ୍ୟୁଲ୍‌ ବିକାଶ କରିବ। ଖୋର୍ଦ୍ଧାରେ ନୁଭୋ ଏଅନ୍ ଡାଇମଣ୍ଡ ଆଣ୍ଡ୍‌ ଜୁଏଲାରି ମାନୁଫାକ୍‌ଚରିଂ ୨୫୬.୫୦ କୋଟି ଟଙ୍କା ନିବେଶରେ ଏକ ଲ୍ୟାବ୍‌ରେ ହୀରା ପ୍ରସ୍ତୁତି ଓ ଗହଣା ତିଆରି କାରଖାନା ସ୍ଥାପନ କରିବ। ଫୋରଷ୍ଟାର୍‌ ମେଟାଲିକ୍ସ ଓ ଖେଡାରିଆ ଇସ୍ପାତ ପକ୍ଷରୁ ସୁନ୍ଦରଗଡ଼ରେ ଯଥାକ୍ରମେ ୬୩.୦୫ କୋଟି ଟଙ୍କା ଓ ୫୬ କୋଟଇ ଟଙ୍କା ନିବେଶ କରାଯିବ। ଫୋରଷ୍ଟାର୍‌ ମେଟାଲିକ୍ସ ଏକ ଏମ୍ଏସ୍‌ ପାଇପ୍ କାରଖାନା ବସାଇବ। ଖୋର୍ଦ୍ଧାରେ ମା’ ତାରିଣୀ ରୋଲର ଫ୍ଲୋର ମିଲ୍‌ସ ପକ୍ଷରୁ ଏକ ସମ୍ପୂର୍ଣ୍ଣ ସ୍ବୟଂକ୍ରିୟ ଫ୍ଲୋର୍‌ ମିଲ୍‌ ସ୍ଥାପନ କରିବାରେ ୫୮.୩୦ କୋଟି ଟଙ୍କା ବିନିଯୋଗ କରାଯିବ। ପୁରୀର ଗୋପରେ ୫୧.୧୦ କୋଟି ଟଙ୍କା ନିବେଶ କରି ମିଲ୍କ ମନ୍ତ୍ରା ଡେରି ପ୍ରାଇଭେଟ୍ ଲିମିଟେଡ୍‌ ଏକ ଦୁଗ୍ଧଜାତ ଉତ୍ପାଦ କାରଖାନା ବସାଇବ। ନାରାୟଣୀ ଗ୍ରିନ୍ ପ୍ୟାକ୍ ଖୋର୍ଦ୍ଧାରେ ୫୦.୮୪ କୋଟି ଟଙ୍କା ନିବେଶରେ ଏକ ପେପର ଓ ପେପର ବୋର୍ଡ କଣ୍ଟେନର ଉତ୍ପାଦନ କାରଖାନା ବସାଇବ। ଅଭିରଭ ଇଣ୍ଡଷ୍ଟ୍ରିଜ୍‌ ସୁନ୍ଦରଗଡ଼ରେ ୨୩୧.୮୧ କୋଟି ଟଙ୍କା ନିବେଶରେ ଏକ ଲୁହାପଥର ବେନିଫିକେସନ ଓ ପେଲେଟ୍ କାରଖାନା ସ୍ଥାପନ କରିବ।

Breaking News