ରିପୋର୍ଟ କାର୍ଡ / କଟକ
ହାଇକୋର୍ଟଙ୍କ ଆଦେଶ ସତ୍ତ୍ବେ ଜଣେ କର୍ମଚାରୀଙ୍କୁ ନିୟମିତ କରିବାକୁ ପଦକ୍ଷେପ ନିଆଯାଇ ନ ଥିବାରୁ ଅଦାଲତ କ୍ଷୁବ୍ଧ ହେବା ସହ ରାଜ୍ୟ ସରକାରଙ୍କ ଉପରେ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ଏହି ଅର୍ଥ ଆବେଦନକାରୀଙ୍କୁ ପ୍ରଦାନ କରାଯିବ। ଏଥିସହ ଆବେଦନକାରୀଙ୍କୁ ୮ ସପ୍ତାହ ମଧ୍ୟରେ ନିୟମିତ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ଯଦି ଧାର୍ଯ୍ୟ ସମୟରେ ଆବେଦନକାରୀଙ୍କୁ ନିୟମିତ କରାନଯାଏ ତାହେଲେ ପ୍ରତିଦିନ ଶହେ ଟଙ୍କା ଲେଖାଏଁ ମାସକ ପାଇଁ ଦେବାକୁ ପଡ଼ିବ। ଏହା ପରଠାରୁ ଦିିନକୁ ୨ଶହ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। କୈଳାସ ଚନ୍ଦ୍ର ପାଳଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଜଷ୍ଟିସ୍ କେ.ଏସ୍. ଦୀକ୍ଷିତ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି। ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବେଦନକାରୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ୧୯୯୬ରେ ନିଯୁକ୍ତି ପାଇଥିଲେ। ସେ ଦୈନିକ ମଜୁରିରେ ଏହି ଚାକିରି କରିଥିଲେ। ଆବେଦନକାରୀଙ୍କ ସହ ଅନ୍ୟ ଦୁୁଇଜଣ ମଧ୍ୟ ଚୁତର୍ଥ ଶ୍ରେଣୀ ପଦରେ ଚାକିରି କରିଥିଲେ। ଆବେଦନକାରୀ ନିୟମିତ ପାଇଁ ୧୯୯୯ ମସିହାରେ ସ୍ୟାଟ୍ରେ ଆବେଦନ କରିଥିଲେ। ଆବେଦନର ଶୁଣାଣି କରି ସ୍ୟାଟ୍ ୨୦୦୦ରେ ତାଙ୍କ ଆବେଦନପତ୍ର ଉପରେ ବିଚାର କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ; କିନ୍ତୁ ଆବେଦନକାରୀଙ୍କ ସ୍ମାରକପତ୍ରକୁ ୨୦୦୫ ମସିହାରେ ସରକାରଙ୍କ ପକ୍ଷରୁ ଖାରଜ କରି ଦିଆଯାଇଥିଲା। ଆବେଦନକାରୀ ପୁଣି ସ୍ୟାଟ୍ଙ୍କ ଦ୍ବାରସ୍ଥ ହୋଇଥିଲେ। ସେହିବର୍ଷ ସ୍ୟାଟ୍ ମାମଲାର ସମାଧାନ କରି ଆବେଦନକାରୀଙ୍କ ଦୁୁଇ କନିଷ୍ଠ ସହଯୋଗୀ ନିୟମିତ ହୋଇସାରିଥିବାରୁ ତାଙ୍କୁ ନିୟମିତ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ୨୦୦୭ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୦୯ରେ ରାଜ୍ୟ ସରକାରଙ୍କ ଅପିଲ୍ ଖାରଜ କରି ଆବେଦନକାରୀଙ୍କୁ ନିୟମିତ ପାଇଁ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ଆଦେଶ ସତ୍ତ୍ବେ ରାଜ୍ୟ ସରକାର ଆବେଦନକାରୀଙ୍କୁ ନିୟମିତ ନ କରିବାରୁ ପୁଣି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।






More Stories
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା…..
ହେବ ନାହିଁ ବିଦ୍ୟୁତ୍ କାଟ୍…..
ବଢିବ ଫାସ୍ଟାଗ୍ ବାର୍ଷିକ ଦେୟ…..