Report Card Odisha

| Daily Odia News

ରାଜ୍ୟରେ କମିଲା ମଦ ଦର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ନୂଆ ମଦ ଦର ଲାଗୁ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ‘ଠିପିବନ୍ଦ ମଦ ଦୋକାନ’ ଓ ‘ଦେଶୀ ମଦ ଦୋକାନ’ ଖୋଲିବ ନାହିଁ । ତେବେ ପରୀକ୍ଷାମୂଳକ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ୧୦ଟି ଏଭଳି ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସବୁ ବ୍ୟତୀତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିକ୍ରି ହେଉଥିବା ମଦ ଦର ସହ ରହିଥିବା ବିସଙ୍ଗତିକୁ ଦୂର କରିବାକୁ ଓଡ଼ିଶା ସରକାର ଉଚ୍ଚମାନର ବିଦେଶୀ ତିଆରି ବିଦେଶୀ ମଦ ଓ ୱାଇନ୍ ଉପରକୁ ଅବକାରୀ ଶୁଳ୍କ ହ୍ରାସ କରିଛନ୍ତି । ତେବେ ବିୟର ଓ ଭାରତ ତିଆରି ବିଦେଶୀ ମଦ ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ୨୦୨୨-୨୩ ଆର୍ଥିକ ବର୍ଷର ‘ନୂଆ ଅବକାରୀ ନୀତି’ ରେ ଲାଇସେନ୍ସ ଫି’, ଏମଜିକ୍ୟୁ(ନିଶ୍ଚିତ ସର୍ବନିମ୍ନ ପରିମାଣ) ଓ ମଦ ତିଆରି ପାଇଁ ଆବେଦନ ଫି’ରେ ସାମାନ୍ୟ ବୃଦ୍ଧି ହୋଇଛି । ତେବେ ପଡ଼ୋଶୀ ରାଜ୍ୟ ଓ ଓଡ଼ିଶାରେ ବିକ୍ରି ହେଉଥିବା ମଦର ଦରରେ ରହିଥିବା ପାର୍ଥକ୍ୟକୁ ଦୂର କରିବା ତଥା ରାଜ୍ୟରେ ଭଲ ବିଦେଶୀ ବ୍ରାଣ୍ଡର ମଦର ବିକ୍ରିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏଫଏମଏଫଏଲ୍ ଉପରେ ଅବକାରୀ ଶୁଳ୍କକୁ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ କରିଛନ୍ତି । ସେହିପରି ୱାଇନ୍ ଉପରେ ୧୦ରୁ ୧୫ ପ୍ରତିଶତ ଶୁଳ୍କ ହ୍ରାସ ହୋଇଥିବା ଜଣାପଡ଼ିଛି । ତେବେ ଭାରତ ତିଆରି ବିଦେଶୀ ମଦ(ଆଇଏମଏଫଏଲ) ଓ ବିୟର ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ୨୦୨୨-୨୩ରେ ଏଭଳି ଆଉ ୧୦ଟି ପ୍ରିମିୟମ ଠିପିବନ୍ଦ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଭୁବନେଶ୍ୱରରେ ୩ଟି, କଟକରେ ଗୋଟିଏ ଓ ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଗୋଟିଏ ପ୍ରିମିୟମ ଅଫ୍ ସପ୍ ରହିଛି । ୨୦୨୨-୨୩ରେ ଭୁବନେଶ୍ୱରରେ ଆଉ ୩ଟି ଏଭଳି ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସେହିପରି ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା ସମେତ ବାଲୋଶ୍ୱର, ଝାରସୁୁଡ଼ା, ବଡ଼ବିଲ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ପ୍ରିମିୟମ ଠିପିବନ୍ଦ ମଦ ଦୋକାନ ଖୋଲାଯିବ । ଏହି ଦୋକାନଗୁଡ଼ିକ ପାଇଁ କୌଣସି ଏମଜିକ୍ୟୁ ରହିବ ନାହିଁ । ଏହି ମଦଦୋକାନ ବିଭିନ୍ନ ସପିଂ ମଲ୍ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ଖୋଲିବା ନିମନ୍ତେ ପ୍ରୋତ୍ସାହିତ କରାଯିବ । ସର୍ବନିମ୍ନ ୭୫୦ ବର୍ଗଫୁଟ୍ ଅଂଚଳରେ ଏହି ଦୋକାନ ରହିବ ଓ ସବୁ ପ୍ରିମିୟମ ବ୍ରାଣ୍ଡର ସବୁ ପ୍ରକାରର ମଦ ସେଠାରେ ଉପଲବ୍ଧ ହେବ । ଏହି ଦୋକାନ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଓ ଏହାର ସାଜସଜ୍ଜା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ଜଣାପଡିଛି ।

 

 

 

Breaking News