ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ରାତିରେ ଜମ୍ମୁ ଓ କଶ୍ମୀରରେ ସଙ୍ଗଠିତ ତିନୋଟି ପୃଥକ୍ ଅଭିଯାନରେ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା କଥା ପୋଲିସ କହିଛି। ନିହତ ଆତଙ୍କବାଦୀମାନଙ୍କ ମଧ୍ୟରୁ ୨ଜଣ ଥିଲେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ‘ଜୈଶ୍-ଏ-ମହମ୍ମଦ୍’ର (ଜେଇଏମ୍) ସଦସ୍ୟ। ପୁଲ୍ୱାମାର ଚେୱାକ୍ଲାନ୍ ଅଞ୍ଚଳରେ ଘଟିଥିବା ଏନ୍କାଉଣ୍ଟର୍ରେ ସେମାନଙ୍କର ମୃତ୍ୟୁ ଘଟିଛି ବୋଲି ପୋଲିସ ସୂଚନା ଦେଇଛି। ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ଘଟଣାସ୍ଥଳରେ ଆଉ ୨ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବାରୁ ଏବେ ମଧ୍ୟ ସେଠାରେ ଆତଙ୍କବାଦୀ ମୁକାବିଲା ଅଭିଯାନ ଚାଲୁ ରହିଛି। ସେହିପରି, ଜମ୍ମୁ ଓ କଶ୍ମୀର ଗାନ୍ଦରବଲ୍ର ସେର୍ଚ ଅଞ୍ଚଳରେ ଘଟିଥିବା ଏନ୍କାଉଣ୍ଟର୍ରେ ପାକିସ୍ତାନର ‘ଲଶ୍କର୍-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଆଉ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେ ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ମୁକାବିଲା ଅଭିଯାନ ଜାରି ରହିଥିବା କଥା ପୋଲିସ କହିଛି। ଏହା ବ୍ୟତିରେକେ, ହନ୍ଦ୍ୱାରାର ରାଜୱର୍ ଅଞ୍ଚଳର ନେଚମାରେ ସଙ୍ଗଠିତ ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡେଲ୍ରେ କଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ଲେଖିଛି: ହନ୍ଦ୍ୱାରାର ରାଜୱର୍ ଅଞ୍ଚଳର ନେଚମାରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଯାଇଛି। ପୋଲିସ ଓ ନିରାପତ୍ତା ବଳ ଅଭିଯାନ ଚଳାଇଛନ୍ତି। ପରେ ପରେ ଅଧିକ ବିବରଣୀ ଆସିବ। କଶ୍ମୀର ‘ଆଇପିଜି’ ବିଜୟ କୁମାର କହିଛନ୍ତି, ଗତ ରାତିରେ ଆମେ ୪/୫ଟି ସ୍ଥାନରେ ମିଳିତ ଅଭିଯାନ ଆରମ୍ଭ କରିଥିଲୁ। ଏପର୍ଯ୍ୟନ୍ତ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସବୁ ସ୍ଥାନରେ ଅଭିଯାନ ଚାଲୁ ରହିଛି।
More Stories
ହୋଲି ପର୍ବର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ……
ଭାଜପା ଜିତିଲେ ମୁସଲମାନ ବିଧାୟକଙ୍କୁ ବିଧାନସଭାରୁ ବାହାରକୁ ଫିଙ୍ଗି ଦିଆଯିବ…..
ରାଣ୍ୟାଙ୍କ ଡିଜିପି ବାପାଙ୍କ କହିବାନୁସାରେ ମୁଁ ସାହାଯ୍ୟ କରିଥିଲି…..