ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଥର କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗୁଛି। ତେଣୁ ଚାନ୍ଦ ପୂଜାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସେହିପରି କୁମାର ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ଲକ୍ଷ୍ମୀ ପୂଜା କିଭଳି କରାଯିବ ସେ ନେଇ ମଧ୍ୟ ନାନା ମତ ପ୍ରକାଶ ପାଇଛି । ପାଞ୍ଜି ଗଣନାକାରୀଙ୍କ ମତ ଅନୁସାରେ ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ କୁମାରୀମାନେ ଆଞ୍ଜୁଳା ଟେକା ଓ ଚାନ୍ଦ ପୂଜା ଆଦି କରିପାରିବେ । ଏମିତିକି ବିଭିନ୍ନ ପୂଜା ମଣ୍ଡପରେ ଲକ୍ଷ୍ମୀ ପୂଜା ନୀତି ମଧ୍ୟ ଏହି ସମୟ ପୂର୍ବରୁ ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୨୮ତାରିଖ ଶନିବାର ଦିନ ରାତି ୧ଟା ୫ ମିନିଟ୍ରେ ଗ୍ରହଣ ଲାଗିବ । ଚନ୍ଦ୍ରଗ୍ରହଣ ଶେଷ ସମୟ ରହିଛି ରାତି ୨ଟା ୨୨ ମିନିଟ୍ । ଅର୍ଥାତ୍ ପ୍ରାୟ ୧ ଘଣ୍ଟା ୧୭ ମିନିଟ୍ ଧରି ଚନ୍ଦ୍ରରେ ଗ୍ରହଣ ଲାଗିବ । ନିୟମ ମୁତାବକ, ଏହାର ୯ ଘଣ୍ଟା ପୂର୍ବରୁ ପାକ୍ନୀତି ଓ ଦେବନୀତି ତ୍ୟାଗ କରିବାକୁ ହୁଏ । ତେଣୁ ଶନିବାର ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ ସମସ୍ତ ଦେବନୀତି ସମ୍ପନ୍ନ ହେବ ବୋଲି ଜ୍ୟୋର୍ତିବିଦ୍ କହିଛନ୍ତି । ତେଣୁ କୁମାରୀମାନେ ଏହା ପୂର୍ବରୁ ସମସ୍ତ ପୂଜାର୍ଚ୍ଚନା ଶେଷ କରିବେ । କାରଣ ଚନ୍ଦ୍ର ସଦାସର୍ବଦା ଆକାଶରେ ବିଦ୍ୟମାନ ଥାଆନ୍ତି । ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁଁ ଦୃଶ୍ୟମାନ ହୁଅନ୍ତି ନାହିଁ । ତେଣୁ କୁମାରୀମାନେ ୪ଟା ୫ ପୂର୍ବରୁ କୁଲାପୂଜା ଏବଂ ଆଞ୍ଜୁଳା ଟେକିପାରିବେ । ଏହି ସମୟରେ ଚନ୍ଦ୍ରଙ୍କ ଉପସ୍ଥିତି ଅନୁସାରେ କୁମାରୀମାନେ ପଶ୍ଚିମ ମୁହାଁ ହୋଇ ପୂଜାର୍ଚ୍ଚନା କରିପାରିବେ ବୋଲି ଶ୍ରୀ ମିଶ୍ର ମତ ରଖିଛନ୍ତି । ୪ଟା ୫ ପରେ ଦେବନୀତି କରାଯିବାକୁ ବାରଣ କରାଯାଇଛି । ଏମିତିକି ପାକତ୍ୟାଗ ମଧ୍ୟ କରାଯିବ । ଅନ୍ୟପକ୍ଷରେ ପୂଜା ମଣ୍ଡପରେ ମଧ୍ୟ ଲକ୍ଷ୍ମୀପୂଜା ଏହି ସମୟ ମଧ୍ୟରେ ସମାପନ କରାଯାଇପାରିବ। ଯେଉଁମାନେ ଘରେ ଲକ୍ଷ୍ମୀପୂଜା କରିବେ ସେ ସକାଳୁ ମା’ ଲକ୍ଷ୍ମୀଙ୍କୁ ପ୍ରତିମାଙ୍କୁ ହଳଦିପାଣିରେ ଗାଧୋଇ ପାରିବେ ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..