Report Card Odisha

| Daily Odia News

କଂଗ୍ରେସ ନେତୃତ୍ୱ ଉପଦେଶକୁ ବିଦ୍ରୋହ ଭାବୁଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସର ନୂଆ ପିଢ଼ି ଉପଦେଶ ନେବାକୁ ପ୍ରସ୍ତୁତ ନୁହେଁ। କେହି ଭଲ ପରାମର୍ଶଟିଏ ଦେଲେ ତାକୁ ଏମାନେ ବିଦ୍ରୋହ ବୋଲି ଭାବୁଛନ୍ତି। ଏପରି କି ବରିଷ୍ଠ କଂଗ୍ରେସ ନେତାମାନେ ବି ଯଦି କିଛି ଉପଦେଶ ଦିଅନ୍ତି ତାହାକୁ ଅପରାଧ ମନେ କରାଯାଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଜି୨୩ ସଦସ୍ୟ ଗୁଲାମ ନବୀ ଆଜାଦ ଖେଦଭରା କଣ୍ଠରେ କହିଛନ୍ତି। ଏକ ସାକ୍ଷାତ୍‌କାରରେ ଆଜାଦ କହିଛନ୍ତି ଯେ, ସୋନିଆ ଗାନ୍ଧି ଓ ଗାନ୍ଧି ପରିବାର ସହ ସେ ଭଲ ସମ୍ପର୍କ ରକ୍ଷା କରିଆସିଛନ୍ତି। କିନ୍ତୁ ବର୍ତ୍ତମାନ ଅନ୍ତରୀଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କିଛି କହୁ ନ ଥିବା ବେଳେ ନୂଆ ପିଢ଼ିର ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କୁ ବିଭିନ୍ନ ପ୍ରକାର ଆଦେଶ ଦେଉଛନ୍ତି। ଆଜାଦ ଏକ ଟ୍ବିଟ୍‌ରେ ଲେଖିଛନ୍ତି, ଯେତେବେଳେ ରାଜୀବ ଗାନ୍ଧି ରାଜନୀତିରେ ଯୋଗ ଦେଲେ ସେତେବେଳେ ଇନ୍ଦିରା ଗାନ୍ଧି ତାଙ୍କୁ କହିଥିଲେ: ଗୁଲାମ ନବୀ ଏପରି କି ମୋତେ ବି ‘ନା’ ବୋଲି କହିପାରେ। କିନ୍ତୁ ତା’ର ‘ନା’କୁ ତୁ ଅବମାନନା ବା ଅସମ୍ମାନ ବୋଲି ଭାବିବୁ ନାହିଁ। ସେ ଯାହା କହେ ଦଳର ଭଲ ପାଇଁ କହେ। କିନ୍ତୁ ଆଜିକାଲି ସେଇ ‘ନା’ ପଦକ ଶୁଣିବାକୁ କେହି ପ୍ରସ୍ତୁତ ନୁହନ୍ତି। ଆଜି ଯଦି କିଏ ‘ନୋ’ କହିଲା ପର ମୁହୂର୍ତ୍ତକୁ ସେ ‘ନୋବଡି’ ହୋଇଯାଇଥିବ। ଗାନ୍ଧି ପରିବାରର ଉତ୍ତରପିଢ଼ି ମଧ୍ୟରେ ଏପରି ଅସହିଷ୍ଣୁତା ବରିଷ୍ଠ ନେତାମାନଙ୍କୁ ବହୁତ ବାଧୁଛି ବୋଲି ସେ କହିଥିଲେ। ଏହି କାରଣରୁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବନାର୍ଜୀ କହିଛନ୍ତି ରାହୁଲ ଗାନ୍ଧି ବିଜେପି-ବିରୋଧୀ ମେଣ୍ଟର ନେତୃତ୍ବ ନେଇପାରିବେ ନାହିଁ। ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ସହ କାମ କରି ଆସିଥିବା ନେତାମାନେ ଯୁବପିଢ଼ିର ବ୍ୟବହାରରେ ଅସନ୍ତୁଷ୍ଟ ବୋଲି ଆଜାଦ ପ୍ରକାଶ କରିଥିଲେ।

Breaking News