ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହେଲେ ଏଥିରେ ଓଏଏସ୍, ଓଆର୍ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା | ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ଜାଣିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଏହି ସବୁ ପଦବୀ ସମ୍ପର୍କରେ ସମୀକ୍ଷା କରି ଖାଲି ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ଓଡିଶା ପ୍ରଶାସନିକ ସେବା (OAS) ରେ ୧୪ଟି, ଓଡିଶା ରାଜସ୍ବ ସେବା (ORS) ରେ ୧୧୩ଟି, ଓଡିଶା ପରିବହନ ସେବା (OTS) ରେ ୧୬ଟି ଓ ଓଡିଶା ମଙ୍ଗଳ ସେବା (OWS) ରେ ୮ଟି ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ ଅନୁରୋଧ କରାଯାଇଛି। ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବକ ଯୁବତୀ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରି ପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି। ବର୍ତ୍ତମାନ ମଧ୍ୟ ବିଭିନ୍ନ ଆୟୋଗ ଦ୍ବାରା ଯେଉଁ ପରୀକ୍ଷା କରାଯିବ, ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦବୀ ଖାଲିଥିବ ସବୁ ପୂରଣ କରିବା ପାଇଁ ଆୟୋଗ ଗୁଡିକୁ ସୁପାରିସ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..