Report Card Odisha

| Daily Odia News

ସରକାର ଚାହିଁଲେ ଟ୍ରିବୁନାଲ ଉଠେଇ ଦେଇପାରିବେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସରକାର ଚାହିଁଲେ ଟ୍ରିବୁନାଲ ଉଚ୍ଛେଦ କରିପାରିବେ। ଏହାକୁ ଉଚ୍ଛେଦ କ୍ଷେତ୍ରରେ କୌଣସି ସାମ୍ବିଧାନିକ ବାଧକତା ନାହିଁ। ଟ୍ରିବୁନାଲରେ ଶୁଣାଣି ହେଉଥିବା ସମସ୍ତ ମାମଲାର ବିଚାର ବି ହାଇକୋର୍ଟଙ୍କ ଶୁଣାଣି ପରିସରଭୁକ୍ତ ଅଟେ । ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ ଉଚ୍ଛେଦ ସଂପର୍କିତ ମାମଲାର ଶୁଣାଣି ବେ‌ଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ମନ୍ତବ୍ୟ ରଖିଛନ୍ତି।ସରକାର ନିର୍ଦ୍ଦିଷ୍ଟ ମାମଲାର ଶୁଣାଣି ପାଇଁ ଟ୍ରିବୁନାଲ ଗଠନ କରିଥିଲେ। ତେଣୁ ସରକାର ଏହି ଟ୍ରିବୁନାଲର ଉ‌‌ଚ୍ଛେଦ ମଧ୍ୟ କରିପାରିବେ। ଏଥିରେ କୌଣସି ସମସ୍ୟା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସୁପ୍ରିମ‌କୋର୍ଟରେ ସ୍ୟାଟ୍ ଉଚ୍ଛେଦ ସଂପର୍କିତ ମାମଲା ଶୁଣାଣି ସମୟରେ ଓଡ଼ିଶା ହାଇକୋର୍ଟଙ୍କ କାଉନସିଲଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସ୍ୟ‌ାଟ୍‌ରେ ୭୨ ହଜାର ମାମଲା ବିଚାରାଧୀନ ଥିଲା। ସ୍ୟାଟ୍‌ରେ ବିଚାରାଧୀନ ଏହି ମାମଲା ଓଡ଼ିଶା ହାଇକୋର୍ଟକୁ ଶୁଣାଣି ପାଇଁ ସ୍ଥାନାନ୍ତରିତ ହୋଇଛି। ସେଥିମଧ୍ୟରୁ ୩୦ ହଜାର ମାମଲାର ବିଚାର ପ୍ରକ୍ରିୟା ଶେଷ ହୋଇଛି। ଓଡିଶା ହାଇକୋର୍ଟର ୮ଟି ଖଣ୍ଡପୀଠ ଏପରି ମାମଲାର ସବୁ ଶୁଣାଣି କରୁଛନ୍ତି। ତେଣୁ ମାମଲାର ଜରୁରୀ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଦର୍ଶାଯାଇଥିଲା। ଏହା ପରେ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯, ଅଗଷ୍ଟ ୨ରେ କେନ୍ଦ୍ର ସରକାର ସ୍ୟାଟ୍‌କୁ ଉଚ୍ଛେଦ କରିଥିଲେ। ଏପରି ନିଷ୍ପତ୍ତିକୁ ସ୍ୟାଟ୍ ବାର୍ ଆସୋସିଏସନ୍ ତରଫରୁ ପ୍ରଥମେ ହାଇକୋର୍ଟରେ ଓ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା।

Breaking News