Report Card Odisha

| Daily Odia News

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନକୁ ରାଜ୍ୟ ସରକାର କଲେ ବିରୋଧ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଜାମିନ ଆବେଦନ ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିକୁ ଅଧିକ ଜରିମାନା ସହିତ ଖାରଜ ପାଇଁ ରାଜ୍ୟ ସରକାର କହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ପିଟିସନ୍‌ରେ କୁହାଯାଇଛି ଯେ ଆବେଦନକାରୀ କୌଣସି ଆଶ୍ବସ୍ତି ପାଇବା ପାଇଁ ହକ୍‌ଦାର ନୁହନ୍ତି। ଆବେଦନକାରୀଙ୍କ ଅନିୟନ୍ତ୍ରିତ ଆଚରଣ ଯୋଗୁ ୨୦ ଜଣ ଲୋକ ଆହତ ହୋଇଥିଲେ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥି ସହିତ ସେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲିଥିବା ପଞ୍ଚାୟତ ସମିତି ନିର୍ବାଚନ ପ୍ରକ୍ରିୟାରେ ହସ୍ତ‌‌କ୍ଷେପ କରିଥିଲେ। ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପୋଲିସ ତାଙ୍କୁ ଗିରଫ କରିଥବା ଯୁକ୍ତିକୁ ରାଜ୍ୟ ସରକାର ଦାଖଲ କରିଥିବ‌ା ଜବାବୀ ସତ୍ୟପାଠରେ ଖଣ୍ଡନ କରିଛନ୍ତି। ବରଂ କୁହାଯାଇଛି ଯେ ଗୋଟିଏ ଡାକ୍ତରୀ ଦଳ ଅଭିଯୁକ୍ତ ସୁସ୍ଥ ଏବଂ ସେ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ କରିପାରିବେ ବୋଲି ମତପ୍ରକାଶ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ନିଜକୁ ପୀଡ଼ିତ ବୋଲି ଯୁକ୍ତି ଦେଖାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସହାନୁଭୂତି ହାସଲ ପାଇଁ ଯେଉଁ ଚେଷ୍ଟା କରିଛନ୍ତି ସେଥିପାଇଁ ସେ ହକ୍‌ଦାର ନୁହନ୍ତି ବୋଲି ସତ୍ୟପାଠରେ କୁହାଯାଇଛି। ସେହିଭଳି ହିଂସାକାରୀଙ୍କ ଠାରୁ ପୋଲିସ ଅଭିଯୁକ୍ତଙ୍କୁ ରକ୍ଷା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗକୁ ସତ୍ୟପାଠରେ ଖଣ୍ଡନ କରାଯାଇଛି। ବରଂ ପୋଲିସର ହସ୍ତକ୍ଷେପ ଯୋଗୁ ତାଙ୍କୁ ଉଦ୍ଧାର କରାଯାଇଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

 

Breaking News