ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ଉଭୟ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରମାନେ ନିଜର ଆପତ୍ତି ଅଭିଯୋଗର ସମାଧାନ ପାଇଁ ସିଧାସଳଖ କୋର୍ଟ ଯାଇପାରିବେ ନାହିଁ । ଏପରିକି ନିଜର ନିଯୁକ୍ତି, ପଦୋନ୍ନତି, ଦେୟ ଓ ଅନ୍ୟାନ୍ୟ ସେବା ସର୍ତ୍ତ ପ୍ରସଙ୍ଗରେ କୌଣସି କର୍ତ୍ତୃପକ୍ଷଙ୍କ ଉପରେ କାହା ମାଧ୍ୟମରେ ବି ଚାପ ପକାଇ ପାରିବେ ନାହିଁ । ଯଦି କୌଣସି କର୍ମଚାରୀ ସିଧାସଳଖ କୋର୍ଟକୁ ଯାଆନ୍ତି, ତା’ହେଲେ ତାଙ୍କ ରିଟ୍ ପିଟିସନକୁ ଖାରଜ କରିବା ପାଇଁ ସରକାର ମଧ୍ୟ କୋର୍ଟଙ୍କୁ ଅନୁରୋଧ କରିବାକୁ ପଛାଇବେ ନାହିଁ । କର୍ମଚାରୀ ଯଦି ତାଙ୍କ ସରକାରୀ ସ୍ୱାର୍ଥକୁ ଆଗକୁ ନେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପରେ ଯେକୌଣସି ମାଧ୍ୟମରେ ଚାପ ପକାଇବେ ତାକୁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ନିୟମ-୧୯୫୯ର ୨୩ର ଉଲ୍ଲଘଂନ ଭାବେ ବିବେଚନା କରାଯିବ ।” ମଙ୍ଗଳବାର ରାଜ୍ୟ ସରକାର ନିଜର ସମସ୍ତ ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଏଭଳି ୧୬ ଦଫା ଗାଇଡଲାଇନ୍ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ, ଜନଶୁଣାଣି ପୋର୍ଟାଲର ଉନ୍ନୀତିକରଣ ପାଇଁ ଓ ସରକାରୀ କର୍ମଚାରୀ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଅଭିଯୋଗର ସମାଧାନ ପାଇଁ ଆନୁଷ୍ଠାନିକ ପ୍ଲାଟଫର୍ମ ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଏହି ଗାଇଡଲାଇନ୍ ଜାରି କରିଛନ୍ତି । ସରକାର ଖୁବଶୀଘ୍ର ଜନଶୁଣାଣି ପୋର୍ଟାଲରେ ସରକାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଯୋଗଗୁଡ଼ିକର ପରିଚାଳନା ପାଇଁ ଏକ ନିର୍ଦ୍ଦିଷ୍ଟ ପେଜ୍ ପ୍ରସ୍ତୁତ କରିବେ । ଯେଉଁଥିରେ ସମସ୍ତ ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକ ଉପଖଣ୍ଡସ୍ତରଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ/ସ୍ତରଗୁଡ଼ିକୁ ଚିହ୍ନଟ କରିବେ । ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ, ସେବା କରୁଥିବା ଓ ଅବସରପ୍ରାପ୍ତ କର୍ମଚାରୀ ଏହି ଜନଶୁଣାଣି ପୋର୍ଟାଲରେ ନିଜର ଅଭିଯୋଗ ଦାଖଲ କରିବା ଆବଶ୍ୟକ । ଅଭିଯୋଗ ଦାଖଲ କରିବା ପୂର୍ବରୁ ସମସ୍ତ କର୍ମଚାରୀ ଥରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..