Report Card Odisha

| Daily Odia News

ବାସହୀନଙ୍କୁ ଜମି ଦେବେ ସରକାର, ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା ବଦଳାଯାଇ ନୂତନ ସଂଶୋଧିତ ବାସହୀନ ସଂଜ୍ଞା ଅନୁଯାୟୀ ପୁନର୍ବାର ବାସହୀନ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ବାସହୀନ ଚିହ୍ନଟ ପ୍ରକ୍ରିୟା ଶେଷହେବ। ଏ ସଂକ୍ରାନ୍ତରେ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସବୁ ଜିଲାପାଳଙ୍କୁ ଚଳିତମାସ ୧୯ରେ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ଏବେ ବାସହୀନଙ୍କୁ ଥଇଥାନ କରିବା ପାଇଁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ କେତେ ବାସହୀନ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକ ରହିଛି। ଏହାପରେ ସେମାନଙ୍କୁ ‘ବସୁନ୍ଧରା’ରେ ସାମିଲ କରାଯିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପୂର୍ବ ନିଷ୍ପତ୍ତିି ଅନୁଯାୟୀ, ୨୦୨୪ ଅଗଷ୍ଟ ୧୬ରୁ ବାସହୀନଙ୍କ ସର୍ଭେ କରାଯାଇଥିଲା। ଏହି କାର୍ଯ୍ୟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିଥିଲା। ସର୍ଭେ ପରେ ବାସହୀନଙ୍କୁ ବସୁନ୍ଧରାରେ ସାମିଲ କରାଯାଉଛି। ତେବେ ସଂପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନଙ୍କ ସଂଜ୍ଞାରେ ଏକ ସଂଶୋଧନ କରାଯାଇଛି। ସଂଶୋଧନ ପରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ଜଣେ ବ୍ୟକ୍ତି ବାସହୀନ କହିଲେ, ଏକ ଏକର ଜମି(୧/୨୫ ପ୍ରତିଶତ)ରୁ କମ୍‌କୁ ବୁଝାଯିବ।ବାସହୀନ ବ୍ୟକ୍ତିଙ୍କ ପାଇଁ ଯେଉଁ ପରିମାଣର ଜମି ସରକାର ଯୋଗାଇବେ ତାହା ଏପରି ହେବା ଉଚିତ୍‌ ଯେ, ସେ ବ୍ୟକ୍ତି ତାଙ୍କ ନିଜ ଗୃହଯୋଗ୍ୟ ଜମି ଓ ତାଙ୍କ ସାଙ୍ଗରେ ଥିବା ପରିବାର ଲୋକଙ୍କ ଗୃହଯୋଗ୍ୟ ଜମିକୁ ମିଶାଇ ମୋଟ ୧/୨୫ ଏକରକୁ ଅତିକ୍ରମ କରୁ ନ ଥିବ।ଯଦି ଅପେକ୍ଷିତ ଜମି ଉପଲବ୍ଧ ନାହିଁ, ତେବେ ଉପଲବ୍ଧତା ଅନୁଯାୟୀ ଭାଗବାଣ୍ଟି ହେବ। ସେହିପରି ନିୟମ ୭(୩)ର ଅନୁଯାୟୀ, ବାସହୀନ ବ୍ୟକ୍ତିଙ୍କୁ ଯେଉଁ ଜମି ଦିଆଯିବ, ସେହି ଜମି ଉତ୍ତରାଧିକାରଯୋଗ୍ୟ କିନ୍ତୁ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ। ନୂତନ ସଂଶୋଧନ ଫଳରେ ଅଧିକ ବ୍ୟକ୍ତି ବାସହୀନ ବୋଲି ଚିହ୍ନଟ ହେବେ ଓ ସେମାନେ ଜମି ପାଇଁ ଯୋଗ୍ୟହେବେ। ଗ୍ରାମାଞ୍ଚଳରେ ଥିବା ବାସହୀନ ପରିବାରଗୁଡ଼ିକ ଅନୁସୂଚିତ ନିୟମ ଅନୁଯାୟୀ ଚିହ୍ନଟ କରାଯିବେ। ବାସହୀନ ଚିହ୍ନଟ ସମ୍ପୂର୍ଣ୍ଣ ହେବାର ଅବଧି ୩୧ ଡିସେମ୍ବର ୨୦୨୫ ରଖାଯାଇଛି। ଏହି ସମୟ ମଧ୍ୟରେ ନୂତନ ଚିହ୍ନଟ ଓ ପୁରୁଣା ତାଲିକାରେ ଥିବା ବ୍ୟକ୍ତିଙ୍କୁ ଜମି ବଣ୍ଟନ ପ୍ରକ୍ରିୟା ଚାଲୁରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Breaking News