Report Card Odisha

| Daily Odia News

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ,କେନ୍ଦ୍ରମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାଜ୍ୟପାଳ ତାଙ୍କୁ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ଵଜନ ଓ ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ନିଜର ଶୋକବାର୍ତ୍ତାରେ କହିଛନ୍ତି| ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି। ସେହିପରି ଶ୍ରୀ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମ ବେଦନା ପ୍ରକାଶ କରିଛନ୍ତି। ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହେଶ୍ବର ମହାନ୍ତି ଜଣେ ଲୋକପ୍ରିୟ ଜନନେତା ଭାବରେ ସୁନାମ ଅର୍ଜନ କରିଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ତାଙ୍କର ସୁନାମ ଥିଲା। ମନ୍ତ୍ରୀ ତଥା ବିଧାୟକ ଭାବେ ରାଜ୍ୟର ବିକାଶରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ବିଶେଷକରି ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ। ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି। ତାଙ୍କ ବିୟୋଗ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି | କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରାଜ୍ୟ ରାଜନୀତିରେ ସେ ଜଣେ କୁଶଳୀ ରାଜନେତା ଥିଲେ। ବିଶେଷ ଭାବରେ ଲମ୍ବା ସମୟ ଧରି ଜନପ୍ରତିନିଧି ଭାବରେ ପୁରୀବାସୀଙ୍କ ପାଇଁ ସେ କରିଥିବା କାର୍ଯ୍ୟ ସବୁ ଦିନ ପାଇଁ ମନେରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, ସ୍ୱର୍ଗୀୟ ମହେଶ୍ୱର ମହାନ୍ତିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା। ମୁଁ ତାଙ୍କ ଠାରୁ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାର ସମ୍ମାନଜନକ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା – ୨୦୦୩” ପୁରସ୍କାର ଗ୍ରହଣ କରିଥିଲି। ତାଙ୍କ ସହ ଥିବା ମୋର ସ୍ମୃତି ସ୍ମରଣୀୟ ହୋଇରହିବ।

Breaking News