Report Card Odisha

| Daily Odia News

ଓଡ଼ିଶାରୁ ୩,୯୬୫ କୋଟି ଜିଏସ୍‌ଟି ଆଦାୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତବର୍ଷ ଜୁନ୍‌ରେ ଦେଶରେ ମୋଟ ୧,୪୪,୬୧୬ କୋଟିର ସାମଗ୍ରୀ ଏବଂ ସେବା ଟିକସ ଆଦାୟ ହୋଇଛି । ପୂର୍ବବର୍ଷ ଜୁନ୍‌ ତୁଳନାରେ ଏହା ୫୬% ଅଧିକ ହୋଇଛି । ତେବେ ଜିଏସ୍‌ଟି ଲାଗୁ ହେବା ପରଠାରୁ ପଞ୍ଚମ ଥର ପାଇଁ ଏହାର ଆଦାୟ ୧.୪୦ ଲକ୍ଷ କୋଟି ଟଙ୍କା ପାର୍‌ କରିଛି । ୨୦୨୨ ମାର୍ଚ୍ଚ ପରଠାରୁ ଚତୁର୍ଥ ଥର ପାଇଁ ଆଦାୟ ପରିମାଣ ଏହି ସ୍ତର ଅତିକ୍ରମ କରିଥିବା ଜଣାପଡ଼ିଛି। ଆଲୋଚ୍ୟ ମାସରେ ଓଡ଼ିଶାରୁ ୩,୯୬୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି, ଯାହାକି ୨୦୨୧ ଜୁନ୍‌ରେ ୩,୦୦୦ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ୩୨% ଅଭିବୃଦ୍ଧି ଦେଖାଦେଇଛି ।ତେବେ ଚଳିତବର୍ଷ ଜୁନ୍‌ରେ ଦେଶରୁ ଆଦାୟ ହୋଇଥିବା ମୋଟ ୧,୪୪,୬୧୬ କୋଟି ଟଙ୍କାର ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି) ପରିମାଣ ୨୫,୩୦୬ କୋଟି ଟଙ୍କା ଥିବାବେଳେ ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ୩୨,୪୦୬ କୋଟି, ସମନ୍ୱିତ ଜିଏସ୍‌ଟି(ଆଇଜିଏସ୍‌ଟି) ପରିମାଣ ୭୫,୮୮୭ କୋଟି ଟଙ୍କା ଏବଂ ସେସ୍‌ ବାବଦ ୧୧,୦୧୮ କୋଟି ଟଙ୍କା ଆଦାୟ ହୋଇଛି । ଚଳିତବର୍ଷ ଏପ୍ରିଲ ପରେ ଏହା ହେଉଛି ଦ୍ୱିତୀୟ ବୃହତ୍‌ ଜିଏସ୍‌ଟି ଆଦାୟ । ୨୦୨୨-୨୩ର ପ୍ରଥମ ତ୍ରୟମାସରେ ହାରାହାରି ମାସିକ ଜିଏସ୍‌ଟି ଆଦାୟ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି । ଏହା ପୂର୍ବ ଆର୍ଥିକବର୍ଷ ସମାନ ସମୟରେ ୧.୧୦ ଲକ୍ଷ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ୩୭% ଅଭିବୃଦ୍ଧି ଘଟିଛି । ଅର୍ଥନୈତିକ ସୁଧାର, ଜିଏସ୍‌ଟି ଖିଲାପି ଉପରେ ନିୟନ୍ତ୍ରଣ, ନକଲି ବିଲ୍‌ ଉପରେ କଟକଣା ଆଦି ଯୋଗୁ ଜିଏସ୍‌ଟି ଆଦାୟ ବଢ଼ିଥିବା ଜଣାପଡ଼ିଛି । ଚଳିତ ବର୍ଷ ଜୁନ୍‌ରେ ଆଦାୟ ହୋଇଥିବା ସେସ୍‌ ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରଠାରୁ ସର୍ବବୃହତ୍‌ ।

 

Breaking News