ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାଶିବରାତ୍ରୀ ଅବସରରେ ହରିଦ୍ୱାରରେ ୨୦୨୧ କୁମ୍ଭ ମେଳାର ପ୍ରଥମ ‘ଶାହୀ ସ୍ନାନ’ ଆୟୋଜନ କରାଯାଇଛି। ୨୦୨୧ କୁମ୍ଭମେଳା କାର୍ଯ୍ୟକ୍ରମ ସାରଣୀରେ ଥିବା ପ୍ରମୁଖ କାର୍ଯ୍ୟକ୍ରମରେ ୪ଟି ‘ଶାହୀ ସ୍ନାନ’ ଏବଂ ୯ଟି ‘ଗଙ୍ଗା ସ୍ନାନ’ ରହିଛି। ସେପଟେ, ମହାଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଟୁଇଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲେଖିଛନ୍ତି, ମହାଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କ ବିବାହର ପବିତ୍ର ବାର୍ଷିକୀ ଭାବେ ପାଳିତ ଏହି ଉତ୍ସବ ସମଗ୍ର ମାନବକୁଳ ଲାଗି ମଙ୍ଗଳମୟ ହେଉ। ମହାଶିବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍ କରିଛନ୍ତି, ମହାଶିବରାତ୍ରୀର ପବିତ୍ର ବେଳାରେ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ। ହର-ହର ମହାଦେବ! ଆଜି ଆରମ୍ଭ ହୋଇଥିବା ‘ଶାହୀ ସ୍ନାନ’ ଅବସରରେ ଭକ୍ତମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ହରିଦ୍ୱାରା କୁମ୍ଭମେଳା ପ୍ରଶାସନ ପକ୍ଷରୁ ପ୍ରାୟ ୫୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଏଥିସହ ଅନେକ ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମଧ୍ୟ ମୁତୟନ କରାଯାଇଛି। ‘ହର୍କି ପୌରି’ରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଖଡ଼ାମାନଙ୍କ ଲାଗି ଏହି ପବିତ୍ର ସ୍ନାନ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବସାଧାରଣଙ୍କ ନିମନ୍ତେ ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ସ୍ନାନ ପାଇଁ ବ୍ୟବସ୍ଥା କରାଯାଇଥିବା କଥା ଉତ୍ତରାଖଣ୍ଡର ପୁଲିସ ମହାନିର୍ଦେଶକ ଅଶୋକ କୁମାର କହିଛନ୍ତି। ଏହାଛଡ଼ା ଅନ୍ୟ ଘାଟଗୁଡ଼ିକ ସମସ୍ତଙ୍କ ସ୍ନାନ ଲାଗି ସବୁବେଳେ ଉନ୍ମୁକ୍ତ ରହିବ। ଗୁରୁବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ପ୍ରଥମ ପବିତ୍ର ବୁଡ଼ ପକାଇବାକୁ ଆସୁଥିବା ଯାତ୍ରୀଙ୍କ ଉପରେ ହେଲିକପ୍ଟର୍ରୁ ପୁଷ୍ପବୃଷ୍ଟି କରାଇବାକୁ ବୁଧବାର ଦିନ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ୍ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..