Report Card Odisha

| Daily Odia News

ହାତୀ ମୃତ୍ୟୁ ଘଟଣାର ହେବ ତଦନ୍ତ,ସାମ୍ବାଦିକ କାହା ଅନୁମତିରେ ଯାଇଥିଲେ ବୋଲି ପ୍ରଶ୍ନକଲେ ପିସିସିଏଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଟକ ମୁଣ୍ଡଳୀ ମହାନଦୀରେ ହାତୀ ମୃତ୍ୟୁ ଘଟଣାର ହେବ ତଦନ୍ତ । ପ୍ରକୃତରେ ହାତୀ ମୃତ୍ୟୁ ପାଇଁ ଦାୟୀ କିଏ, ସେନେଇ କରାଯିବ ଯାଞ୍ଚ । କିଭଳି କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ତାର ତଦନ୍ତ କରାଯିବ । ମୃତ ହାତୀର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହି ତଦନ୍ତ ଆଗକୁ ବଢିବ ବୋଲି ଜଣାପଡିଛି । ତଦନ୍ତ ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏହା ସହିତ ସାମ୍ବାଦିକଙ୍କୁ ନଦୀ ଭିତରକୁ କିଏ ଓ କାହିଁକି ନେଲେ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ପିସିସିଏଫ ଶଶି ପଲ । ସୂଚନା ଯୋଗ୍ୟ, ଗତ ଶୁକ୍ରବାର ଘଟିଥିଲା ଅଘଟଣ । ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ମୃତ୍ୟୁବରଣ କରିଥିଲେ ଜଣେ ସାମ୍ୱାଦିକ ଓ ଓଡ୍ରାଫ ଟିମର ସଦସ୍ୟ । ମହାନଦୀରେ ଫସିରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିଲେ ୭ ଜଣିଆ ସଦସ୍ୟ । ବୋଟରେ ୫ ଜଣ ଓଡ୍ରାଫ ଟିମ୍ ସହ ଜଣେ ସାମ୍ୱାଦିକ ଓ କ୍ୟାମେରାମ୍ୟାନ ଯାଇଥିଲେ । ତେବେ ମହାନଦୀର ପ୍ରଖରେ ସ୍ରୋତରେ ବୋଟଟି ପାଣିରେ ବୁଡିଯାଇଥିଲା । ହେଲେ ଜଣେ ସାମ୍ୱାଦିକ ଓ କ୍ୟାମେରାମ୍ୟାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିଇଥିଲା । ହେଲେ ଜୀବନ ସହ ସଂଘର୍ଷ କରି ସାମ୍ୱାଦିକଙ୍କ ମୃତ୍ୟୁ ହେବା ସହ କ୍ୟାମେରାମ୍ୟାନ ଗୁରୁତର ଥିଲେ । ଏହାସହ ଓଡ୍ରାଫ ଟିମର ଜଣେ ସଦସ୍ୟ ପାଣିର ସୁଅରେ ଭାସିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ପାଣିରୁ ଉଦ୍ଧାର ହୋଇଥିଲା ।

Breaking News