ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଉପକୂଳ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ବୁଧବାର ରାଜ୍ୟର ୪ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଯାଜପୁର, ଜଗତ୍ସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ। ଏନେଇ ସମ୍ପୃକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ବିଶେଷକରି ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ପବନର ଆଶଙ୍କା ରହିଛି। ଅନ୍ୟପଟେ ଲୋକଙ୍କୁ ପାଗ ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ରକ୍ଷା ପାଇବା ପାଇଁ ସୁରକ୍ଷିତ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି। ଫସଲ ଅମଳ ଉପରେ ଧ୍ୟାନଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ୩୧ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହାର ମୁକାବିଲା ଲାଗି ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜୁଳି ଓ ଝଡ଼ବର୍ଷାଜନିତ କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୁହାଯାଇଛି। ଝଡ଼ବର୍ଷା ସମୟରେ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..