ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ସ୍ଥିତ ହାଇଟେକ୍ ହସ୍ପିଟାଲରେ ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଦିଲ୍ଲୀପଙ୍କ ମୃତ୍ୟୁ ଖବର ନୂଆ ମୋଡ ନେଇଛି। ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା କହିଲେ ମେଡିକାଲ କର୍ତ୍ତୃପକ୍ଷ। ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍ଏ ଟେଷ୍ଟ କରାଯିବ। ସ୍ୱାମୀ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ହାଇଟେକ୍ ମେଡିକାଲ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏନେଇ ସୂଚନା ଦିଆଯାଇଛି। ଦିଲ୍ଲୀପଙ୍କ ପରିବାର ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି। ୩୦ ତାରିଖରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ନାଁ ଦିଲ୍ଲୀପ ବୋଲି କୁହାଯାଉଥିଲା। ସୂଚନା ଯୋଗ୍ୟ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ୪ ଗୁରୁତରଙ୍କ ମଧ୍ୟରୁ ଦିଲ୍ଲୀପ କୁମାର ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଥିଲା। ସେହି ଦୁଃଖକୁ ସହି ନପାରି ସୋମବାର ବାପଘରେ ସୌମ୍ୟାଶ୍ରୀ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାୟ ଦୁଇ ବର୍ଷ ତଳେ ଦିଲ୍ଲୀପ ଓ ସୌମ୍ୟାଶ୍ରୀଙ୍କର ବିବାହ ହୋଇଥିଲା। ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତଙ୍କୁ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ତାଙ୍କ ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଛନ୍ତି। ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ । ଏନେଇ ହାଇଟେକ୍ ମେଡିକାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମନସ୍ତତ୍ତ୍ୱବିତ ଅମିତ ପାଟ୍ଟଯୋଶୀ କହିଛନ୍ତି, ଭେଣ୍ଟିଲେଟରରେ ଥିବା ଯୁବକ ଜଣକ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଯେଉଁ ସବୁ ତଥ୍ୟ ଦେଉଛନ୍ତି, ଉକ୍ତ ତଥ୍ୟ ଆଧାରରେ ସେ ଦିଲ୍ଲୀପ ସାମନ୍ତରାୟ ବୋଲି ଆମେ ବିଶ୍ୱାସ କରୁଛୁ। ତେଣୁ ସେ ଦିଲୀପ ବୋଲି ଆମେ ୯୦ରୁ ୯୫ % ବିଶ୍ୱାସ କରୁଛୁ। ଅଧିକ ବିବାଦ ଦେଖାଦେଲେ ଆମେ ଡିଏନଏ ପାଇଁ ବି ପ୍ରସ୍ତୁତ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….