ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଓ ଲେବାନନ୍ ମଧ୍ୟରେ ପ୍ରବଳ ଉତ୍ତେଜନା ମଧ୍ୟପ୍ରାଚ୍ୟ ସଙ୍କଟକୁ ଆହୁରି ଜଟିଳ କରିଛି । ଉଭୟ ପକ୍ଷ ପରସ୍ପର ଉପରେ ଲଗାତାର କ୍ଷେପଣାସ୍ତ୍ର,ଡ୍ରୋନ୍ ଓ ରକେଟ୍ ଆକ୍ରମଣ କରିବା ପରେ ଏହାକୁ ନେଇ ଅନ୍ତର୍ଜାତୀୟ ସମୁଦାୟରେ ଉଦ୍ବେଗ ପ୍ରକାଶ ପାଇଛି । ଇସ୍ରାଏଲର ଉପରେ ଯେ କୌଣସି ମୁହୂର୍ତ୍ତରେ ଲେବାନନ ଇରାନ ସହାୟତାରେ ବହୁତ ବଡ଼ ଆକ୍ରମଣ କରିବା ଆଶଙ୍କା ରହିଥିବାରୁ ରାଜଧାନୀ ତେଲ୍ ଅଭିଭ୍ ଏବଂ ସମଗ୍ର ଉତ୍ତରାଞ୍ଚଳର ନାଗରିକଙ୍କ ଉପରେ ନୂଆ କଟକଣା ଲଗାଯାଇଛି । ସଭା, ସମାବେଶ ଉପରେ କଟକଣା ଜାରି କରାଯିବା ସହ ଗୋଟିଏ କୋଠା ଭିତରେ ୩୦୦ରୁ ଅଧିକ ଲୋକଙ୍କ ସମାଗମକୁ ନିଷିଦ୍ଧ କରାଯାଇଛି। ଏଥିସହିତ ଲେବାନନ୍ ସୀମା ନିକଟରେ ଥିବା ବେଳାଭୂମିକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଦେଶରେ ଜାରି ହୋଇଥିବା ୪୮ ଘଣ୍ଟିଆ ଜରୁରୀକାଳୀନ ପରିସ୍ଥିତି ସମୟସୀମା ମଧ୍ୟରେ ଅତ୍ୟନ୍ତ ସମ୍ବେଦନଶୀଳ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଇସ୍ରାଏଲର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ସର୍ବାଧିକ ଆଲର୍ଟରେ ରହିଛି। ହିଜବୁଲ୍ଲାର ସମସ୍ତ ସାମରିକ ଘାଟି ଧ୍ବସ୍ତ କରିବା ପାଇଁ ଇସ୍ରାଏଲ ଏଫ୍-୧୬ ଯୁଦ୍ଧ ବିମାନ ନିୟୋଜିତ କରିଛି। ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧ ଉତ୍ତେଜନା ଚରମରେ ପହଞ୍ଚିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଆମେରିକାର ବରିଷ୍ଠ ଅଧିକାରୀମାନେ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାରକୁ ଆମେରିକା ସବୁ ସମର୍ଥନ ଜାରି ରଖିବ ଏବଂ ଏଥିରେ କୌଣସି ସାଲିସ କରାଯିବ ନାହିଁ ବୋଲି ଆମେରିକା ପୁଣି ଥରେ ଦୋହରାଇଛି। ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ ତାଙ୍କ ଇସ୍ରାଏଲ ପ୍ରତିପକ୍ଷଙ୍କ ସହ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି। ଗତ ଅକ୍ଟୋବର ମାସରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷରେ ଇସ୍ରାଏଲ-ଲେବାନନ ସୀମାରେ ପ୍ରତିଦିନ ଗୁଳି ବିନିମୟ ଦେଖିବାକୁ ମିଳୁଛି । ଏହି ସଦ୍ୟତମ ଉତ୍ତେଜନା ଲେବାନନ୍ରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କାକୁ ତୀବ୍ର କରିଛି। ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ଯୋଗୁଁ ଆଜି ସୁଦ୍ଧା ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……